ଭଞ୍ଜନଗର – ଧାନ ଗଛରେ ଏବେ ଚକଡା ଓ ମାଟିଆଗୁଣ୍ଡି ପୋକ ଲାଗିବାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ରୋଗପୋକ ନିୟନ୍ତ୍ରଣ ନହେଲେ ଗତବର୍ଷ ଭଳି ଅସୁବିଧାର ସାମନା କରିବେ ଚାଷୀ । ଗତବର୍ଷ ଭଲ ଧାନ ଅମଳ ପାଇଁ ଚାଷୀ ଆଶା କରିଥିବାବେଳେ ଚକଡା ପୋକ ଯୋଗୁଁ କଲବଲ ହୋଇଥିବାବେଳେ ଗଛମୂଳରୁ ପାଣି କାଟିବାସହ ପ୍ରତି ୨ ଫୁଟ ଅନ୍ତରରେ ଧାନଗଛକୁ ଅଲାଗା କରି ସିଆର କାଟିବାପରେ ଏହା ନିୟନ୍ତ୍ରଣକୁ ଆସିଥିଲା । ଚଳିତବର୍ଷ ମଧ୍ୟ ଅନୁକୂଳ ପାଗକୁ ନେଇ ଚାଷୀ ବେଶ ଆଶାବାଦୀ ହୋଇପଡିଥିଲା । ସଅଳ ଧାନ ବିହନ ବୁଣିବାସହ ନିର୍ଦ୍ଧାରିତ ସମୟରେ ବର୍ଷାର ସ୍ଥିତିକୁ ଦେଖି ଖୁସିରେ ଫାଟି ପଡିଥିଲା ଚାଷୀ ।
ଆଉ ଧାନ ରୁଆ କାମ ଶେଷ ହେବାପରେ ସାରର କୃତିମ ଅଭାବ ଚାଷୀଙ୍କୁ ବେଶ ଦ୍ୱନ୍ଦରେ ପକାଇଥିଲା । ଆଉ ସମବାୟ ସମିତି ଗୁଡିକ ଜରିଆରେ ଚଳିତବର୍ଷ ଆବଶ୍ୟକ ସାର ନମିଳିବା କାରଣରୁ ବାହାରୁ ଚଢାଦରରେ ଚାଷୀମାନେ ସାର କିଣି ଜମିରେ ପ୍ରୟୋଗ କରିଥିଲେ । ହେଲେ ଆବଶ୍ୟକ ଠାରୁ ଅଧିକ ସାର ପ୍ରୟୋଗ କାରଣରୁ ଜମିରେ ଏବେ ଧାନଗଛମୂଳରେ ମାଟିଆଗୁଣ୍ଡି ପୋକ ଲାଗିବା ଆରମ୍ଭ କରିଛିବୋଲି ଭଞ୍ଜନଗର କୃଷିଜିଲ୍ଲାଧିକାରୀ ଅର୍ଜୁନ ବିଷୋୟୀ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।
ସୁଚନାଯୋଗ୍ୟଯେ ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଚଳିତବର୍ଷ ଉତ୍ତମ ବର୍ଷା ଯୋଗୁଁ ଅଣଜଳସେଚିତ ଜମିରେ ମଧ୍ୟ ଚାଷକାର୍ଯ୍ୟ ନିର୍ଦ୍ଧାରିତ ସମୟର ସାମାନ୍ୟ ବିଳମ୍ବରେ ଶେଷ ହୋଇଥିଲା । ଧାନଚାଷ ଆରମ୍ଭ ପୂର୍ବର୍ରୁ କାଦୁଅ ଜମିରେ ଚାଷୀଙ୍କୁ ଯେଉଁ ସାର ଆବଶ୍ୟକ ହୋଇଥିଲା ତାହା ସେତେବେଳେ ମିଳିପାରିନଥିଲା । ତେଣୁ ଅଧିକାଂଶ ଚାଷୀ କାଦୁଅ ଜମିରେ ବିନା ସାରରେ ଧାନ ରୁଆ କାମ ଶେଷ କରିଥିଲେ । ପରେ ୟୁରିଆ ସହ ଅନ୍ୟ ସାରକୁ ମିଶାଇ ଜମିରେ ପ୍ରୟୋଗ କରିବାକୁ ଚାଷୀ ବ୍ୟାକୁଳ ହୋଇପଡିଥିଲା ବେଳେ ସାରର କୃତିମ ଅଭାବ ଚାଷୀକୁ ଚିନ୍ତାରେ ପକାଇଥିଲା ।
ଆଉ ଏବେ ମାଟିଆଗୁଣ୍ଡି ପୋକ ଓ ଚକଡା ପୋକ ଯୋଗୁଁ ଚାଷୀ ପୁଣିଥରେ ଚିନ୍ତାରେ ପଡିଯାଇଛି । ଏହି ବ୍ଲକର ତୁରୁମୁ ପଞ୍ଚାୟତର ବିଭିନ୍ନ ଚାଷଜମିରେ ଏବେ ଏଭଳି ସମସ୍ୟା ଦେଖିବାକୁ ମିଳିଥିବା ନେଇ ଜିଲ୍ଲା କୃଷି ଅଧିକାରୀ ବିଶୋୟୀ ସୁଚନା ଦେଇଛନ୍ତି । କିଛି ଚାଷୀ ଏନେଇ ତାଙ୍କ ନିକଟରେ ଅଭିଯୋଗ କରିଥିବା ସେ ସୁଚନା ଦେଇଛନ୍ତି । ତେବେ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ୟୁରିଆର ପ୍ରୟୋଗ ଯୋଗୁଁ ମାଟିଆ ଗୁଣ୍ଡି ପୋକ ଧାନଗଛ ମୂଳରେ ରହି ଗଛରେ ଧାନକେଣ୍ଡା ଆସିବାକୁ ଦେଉନଥିବା ଜଣାପଡିଛି । ଧାନକେଣ୍ଡା ଆସିବା ପୂର୍ବରୁ ଧାନଗଛରେ ମାଟିଆଗୁଣ୍ଡି ପୋକ ଲାଗିବା ନିଶ୍ଚିତଭାବେ ଉକ୍ତ ଚାଷକୁ ପ୍ରଭାବିତ କରିବବୋଲି ଚାଷୀକୂଳ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ମୁଦୁଲିପଲ୍ଲୀର ଚାଷୀ ହାଡୁବନ୍ଧୁ ସ୍ୱାଇଁଙ୍କ ମତରେ ଧାନଗଛରେ ରୋଗପୋକ ନିୟନ୍ତ୍ରଣ ପାଇଁ ଏବେଠାରୁ କୃଷି ବିଭାଗ କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କୁ ସଚେତନ କରିବା ନିହାତି ଜରୁରୀ । ତାନହେଲେ ଲେଡିଗୁଡ କହୁଣୀକୁ ବହିଯିବା ସାର ହେବ । ଅନ୍ୟପକ୍ଷରେ ଚକଡା ପୋକ ନିୟନ୍ତ୍ରଣ ପାଇଁ ଗତବର୍ଷର ଅଭିଜ୍ଞତା ଚାଷୀଙ୍କୁ ବେଶ ସୁହାଇବ । ଆଉ ମାଟିଆଗୁଣ୍ଡି ପୋକ ଓ ଚକଡା ପୋକର ନିୟନ୍ତ୍ରଣ ଓ ନିରାକରଣ ପାଇଁ କୃଷି ବିଭାଗ କ୍ଷେତ୍ର କର୍ମଚାରୀମାନେ ଖୁବଶୀଘ୍ର ପ୍ରତି ଗ୍ରାମକୁ ଯାଇ ଚାଷୀଙ୍କୁ ସଚେତନ କରିବେବୋଲି ଜିଲ୍ଲା କୃଷି ଅଧିକାରୀ ଅର୍ଜୁନ ବିଷୋୟୀ ସ୍ପଷ୍ଟ କରିଛନ୍ତି । ଚାଷୀମାନେ ଏବେ ଜମିରେ ପଟାସ ସାର ପ୍ରୟୋଗ କରିବାସହ ଧାନଗଛ ମୂଳରୁ ପାଣି କାଟିବାକୁ ସେ ପରାମର୍ଶ ଦେବାସହ ଆବଶ୍ୟକ ସ୍ଥଳେ ରୋଗପୋକ ନିୟନ୍ତ୍ରଣ ପାଇଁ ଥାଇମେଥାକାମ କୀଟନାଶକକୁ ୧୫ ଲିଟର ପାଣିରେ ୬୦ଗ୍ରାମ ପକାଇ ଜମିରେ ସିଞ୍ଚନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
