ଭଞ୍ଜନଗର : ଦିନକୁ ଦିନ କରୋନାର ପ୍ରକୋପ ବଢ଼ିଚାଲିଛି । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଏଥିରେ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ସାତଟାରୁ ଦିନ ବାରଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଦିନ ବାରଟାରୁ ପରଦିନ ସକାଳ ସାତଟା ୧୯ ଘଣ୍ଟା ଲକଡାଉନ୍ କରାଯାଇ, କୌଣସି ଯାନବାହନ ଏପରିକି ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ଏତେ କଟକଣା ସତ୍ତ୍ୱେ କରୋନା ଭଞ୍ଜନଗର ସହରରେ ପାଦ ଥାପିଥିବାରୁ ଏଥିରେ ରୋକ ଲଗାଇବା ସହ ରାସ୍ତାରେ ବିନା କାରଣରେ ବୁଲୁଥିବା, ମାସ୍କ ପିନ୍ଧୁନଥିବା ଏବଂ ସରକାରୀ ନିଦେ୍ର୍ଦଶକୁ ଅବମାନନା କରି ଦୋକାନ ଖୋଲୁଥିବା ଲୋକଙ୍କୁ ସାବାଡ଼ କରିବା ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆ·ର୍ଯ୍ୟ, ଏନଏସିର କରୋନା ନୋଡ଼ାଲ ଅଫିସର ଦିଲୀପ କୁମାର ସ୍ୱାଇଁ, ଅଶୋକ ଦଳବେହେରା, ଶିବଶଙ୍କର ପ୍ରଧାନ ସହରର ବିଭିନ୍ନ ସ୍ଥାନ ଚଢ଼ାଉ କରୁଛନ୍ତି ।
ପୋଲିସ୍ ସହରର ସମସ୍ତ ଦିଗରେ କଡ଼ା ପହରା ଦେଇ ନିୟମ ଭାଙ୍ଗୁଥିବା ଲୋକଙ୍କୁ ସାବାଡ଼ କରୁଛନ୍ତି । ଭଞ୍ଜନଗର ଏନଏସି ପକ୍ଷରୁ ସହରର ଦୁଇଟି ଶାଢ଼ୀ ଦୋକାନ, ଗୋଟିଏ ରେଡ଼ିମେଡ଼ ଦୋକାନ, ଗୋଟିଏ ଇଲେକ୍ଟ୍ରିକାଲ ଦୋକାନ ଏବଂ କିରାଣି ଦୋକାନ ଉପରେ ଚଢ଼ାଉ କରି ଛଅ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏନଏସିର କର୍ମଚାରୀମାନେ ସକାଳ ପାଞ୍ଚଟାରୁ ରାତି ଦଶଟା ଯାଏଁ ସହର ସାରା ବୁଲି ଲକଡାଉନକୁ ଅମାନ୍ୟ କରୁଥିବା ଲୋକଙ୍କୁ ସଚେତନ କରୁଛନ୍ତି ଏବଂ କିଛି କ୍ଷେତ୍ରରେ ଜୋରିମାନା କରୁଛନ୍ତି ।