Odisha news

ଦିଗପହଣ୍ଡି ବସ ଦୁର୍ଘଟଣା,ବସ ଦୁର୍ଘଟଣାରେ ଭଞ୍ଜନଗର ମୁଜାଗଡ଼ ଗ୍ରାମର 5 ଜଣଙ୍କ ମୃତ୍ୟୁ

0

ଭଞ୍ଜନଗର: ବିବାହ କାର୍ଯ୍ୟରେ ଯୋଗଦେଇ ଭୋଜି ସାରି ହସଖୁସରେ ଝିଅକୁ ବିଦାୟ ଦେଇ ଫେରୁଥିଲେ। ହେଲେ ଫେରିବା  ବାଟରେ ଛକି ରହିଥିଲା ମୃତ୍ୟୁର ଦାନବ। କ୍ଷଣିକ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେଲା। ଖୁସିର ମାହୋଲ ବଦଳିଗଲା ଦୁଃଖ  ଓ କାନ୍ଦ ବୋବାଳିରେ। ଆଉ ଶୁଭକାର୍ଯ୍ୟରେ ଯୋଗ ଦେଇଥିବା ନିଜର ପରିବାର ଓ ପ୍ରିୟଜନଙ୍କୁ ଏକା ସଙ୍ଗରେ ହରାଇ ସମସ୍ତେ ଏକ ପ୍ରକାର ହତବାକ୍ ଓ ନସ୍ତବ୍ଧ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଘଟିଥିବା ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ଭଞ୍ଜନଗର ନିକଟ ମୁଜାଗଡ ଗ୍ରାମର ୨ ଶିଶୁ ସମେତ ୫ ଜଣ ରହିଛନ୍ତି। ମୃତକ ମାନେ ହେଲେ ଶରତ ପ୍ରଧାନଙ୍କ ବୋହୂ ଶିବାନୀ ପ୍ରଧାନ(୨୭) ଓ ତାଙ୍କ ଏକ ବର୍ଷର ପୁଅ ଆଦ୍ଭିକ୍ ଏବଂ ସ୍ବାମୀ ସତ୍ୟଜିତ୍ ପ୍ରଧାନ ଉକ୍ତ ବିବାହ କାର୍ଯ୍ୟରେ ଯୋଗଦେଇ ଥିଲେ କିନ୍ତୁ ଦୁର୍ଘଟଣାଗସ୍ତ ଗାଡିରେ  ସ୍ୱାମୀ ସତ୍ୟଜିତ ନଥିବାରୁ ସୌଭାଗ୍ୟ ବଶତଃ  ସେ ଏଥିରୁ ବର୍ତ୍ତି ଯାଇଛନ୍ତି। ସେହିପରି ଗୋପାଳ ପ୍ରଧାନଙ୍କ ବୋହୂ ସୁଜ୍ଞାନୀ ପ୍ରଧାନ(୨୭) ଓ ତାଙ୍କ ୩ ବର୍ଷର ପୁଅ ଦେବାଂଶ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ବାମୀ ଶୁଭେନ୍ଦୁ ପ୍ରଧାନ ବର୍ତ୍ତମାନ କଟକ ବଡ ମେଡିକାଲ୍ରେ ଭେଣ୍ଟିଲେଟରରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେହିପରି ଗ୍ରାମର ଶିବାନୀଙ୍କ ପିଉସା ସଞ୍ଜୟ ମେଦିନରାୟ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ୫ ଜଣ ମୃତକ ମରଶରୀର ଅପରାହ୍ନରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ଉପଜିଲ୍ଲପାଳ ଜ୍ୟୋତି ଶଙ୍କର ରାୟ,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏସ୍ଡିପିଓ ବିଶ୍ବାମିତ୍ର ହରପାଲ୍,ଥାନା ଅଧିକାରୀ ଧୀରେଶ କୁମାର ଦାସ ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇଥିଲେ। ମୃତକ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ବରିତ ସହାୟତା ପୂର୍ବକ ପରିବାର ବର୍ଗଙ୍କୁ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରାଥମିକ ପର୍ଯ୍ୟାୟରେ ପ୍ରଦାନ କରାଯାଇଛି। ଆଜି ଅପରାହ୍ନରେ ୫ ଟି ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗାଁ କାନ୍ଦ ବୋବାଳିରେ ଫାଟି ଉଠିଥିଲା। ଶତାଧିକ ଗ୍ରାମବାସୀ ୩ ଟି କୋକେଇରେ ସମସ୍ତ ପାର୍ଥିବ ଶରୀରକୁ ଗ୍ରାମ ଶ୍ମଶାନକୁ ନେବା ପରେ ସେଠାରେ ରୀତିନୀତି ଅନୁଯାୟୀ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା।

Leave A Reply