Odisha news

ଭଞ୍ଜନଗର କୃଷିଜିଲ୍ଲାରେ ଆରମ୍ଭ ହେଲା ଧାନରୁଆ : ଚଳିତବର୍ଷର ଲକ୍ଷ୍ୟ ୪୧,୮୮୦ହେକ୍ଟର ଚାଷଜମି

0

ଭଞ୍ଜନଗର : ଭଞ୍ଜନଗର କୃଷିଜିଲ୍ଲାରେ ଧାନ ରୁଆ କାମ ଆରମ୍ଭ ହୋଇଯାଇଛି । ଭଲ ପାଗ ଯୋଗୁଁ ଅପେକ୍ଷାକୃତ ଖାଲୁଆ ଜମିରେ ରୁଆ କାମ ଆରମ୍ଭ ହୋଇଯାଇଛି । ଯଦି ଆଗକୁ ବର୍ଷା ଠିକ୍ ଠାକ୍ ରହେ ତେବେ ଭଞ୍ଜନଗର କୃଷିଜିଲ୍ଲାରେ ଧାର୍ଯ୍ୟଲକ୍ଷ୍ୟ ପୁରଣ ହୋଇପାରିବ । କରୋନା ସଂକ୍ରମଣ ଭୟ ଭିତରେ ଚଳିତବର୍ଷ ଚାଷୀ ତାର ଚାଷ କାମ ଆରମ୍ଭ କରିଦେଇଛି ।

ଚଳିତବର୍ଷ  ୫୦,୫୪୫ ହେକ୍ଟର ଜମିରେ ଅଣଧାନ ଚାଷ ହେଉଛି । ପାରମ୍ପାରିକ ଧାନଚାଷରୁ ହଟି କିଛି ଚାଷୀ ଅର୍ଥକାରୀ ଆଖୁ, ମକା, ମଣ୍ଡିଆ, ଡାଲି, ତୈଳବୀଜ, ମସଲା ଜାତୀୟ ଚାଷ ସହ ପନିପରିବା ଚାଷକୁ ଆପଣାଇ ନେଇଥିବା ଦେଖିବାକୁ ମିଳିଛି । ତେବେ ଧାନ ମୁଖ୍ୟ ଫସଲ ହୋଇଥିବାରୁ ଚଳିତବର୍ଷ ଚାଷକାର୍ଯ୍ୟ ଯେପରି ନିର୍ବିଘ୍ନରେ ସଂପନ୍ନ  ହୋଇପାରିବ ସେଥିପାଇଁ କୃଷି ବିଭାଗ ଚାଷକାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବା ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ଅର୍ଜୁନ ବିଶୋୟୀ ଉଲ୍ଲେଖ କରିଛନ୍ତି ।

ଗତବର୍ଷ ଭଞ୍ଜନଗର ଅଂଚଳର ଚାଷୀ ଚାଷ କାର୍ଯ୍ୟରେ ବିଶେଷ ହଇରାଣ ହରକତ ହୋଇଥିଲେ । ପ୍ରତିକୂଳ ପ୍ରଭାବ କାରଣରୁ କେତେକ ସ୍ଥାନରେ ଚାଷୀଙ୍କୁ ଦୁଇ ଦୁଇଥର ଧାନ ବିହନ ବୁଣିବାକୁ ପଡିଥିଲା । କେତେକ ସ୍ଥାନରେ ଉତ୍ତମ ବିହନ ଅଭାବରୁ ଧାନ ଅମଳ ବେଳେ ଚାଷୀଙ୍କୁ ଅସୁବିଧା ଭୋଗ କରିବାକୁ ପଡିଥିଲା । ତେବେ ଗତବର୍ଷର ତିକ୍ତ ଅନୁଭୂତିକୁ ଆଖି ଆଗରେ ରଖି ଚଳିତବର୍ଷ ଯେପରି ଧାନଚାଷରେ କୌଣସି ଅସୁବିଧା ସୃଷ୍ଟି ନହେବ  ସେଥିପାଇଁ କୃଷିବିଭାଗ ଯତ୍ନବାନ ହୋଇଛି । ଚାଷୀଙ୍କୁ ଆରମ୍ଭରୁ ଉଚିତ ପରାମର୍ଶ ଦିଆଯାଇ କେଉଁ ଜମିରେ କେଉଁ କିସମର ଧାନ ଚାଷ କରାଗଲେ ଭଲ ଅମଳ ହେବ ସେସଂପର୍କରେ ଅବଗତ କରାଯାଉଛି । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକମାନେ ମଧ୍ୟ ଏଦିଗରେ ଅଧିକ ଗବେଷଣା କରି ସେମାନଙ୍କ ପୋଷ୍ୟଗ୍ରାମ ଗୁଡିକରେ ଚାଷୀଙ୍କୁ ନୂଆଁ କିସମ ଚାଷପ୍ରଣାଳୀ ଆପଣାଇବାକୁ ଉପଦେଶ ଦେଉଛନ୍ତି ।

ବିଶେଷ କରି ଶ୍ରୀପଦ୍ଧତିରେ ଧାନଚାଷ କରି ଅଂଚଳର ଚାଷୀ ଅଧିକ ଲାଭବାନ ହୋଇଥିବାରୁ ଏବେ ଅଧିକାଂଶ ଚାଷୀ ପାରମ୍ପାରିକ ଚାଷରୁ ହଟି ଶ୍ରୀପଦ୍ଧତିକୁ ଆପଣାଉଥିବା ଦେଖିବାକୁ ମିଳୁଛି । ଭଞ୍ଜନଗର କୃଷି ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଓ ବୁଗୁଡା ବ୍ଲକରେ ପୂର୍ବବର୍ଷମାନଙ୍କ ଅପେକ୍ଷା ଏବେ କିଛିବର୍ଷ ହେଲା ଶ୍ରୀପଦ୍ଧତି ଆପଣାଇ ଚାଷୀଭାଇମାନେ ବେଶ ଦିପଇସା ଅଧିକ ପାଇପାରିଛନ୍ତି । ଖାସ ଏଭଳି କିଛି କାରଣରୁ ଭଞ୍ଜନଗର ବ୍ଲକର ମୁଦୁଲିପଲ୍ଲୀ ପଞ୍ଚାୟତର ଚାଷୀକୂଳ ଏବେ ଶ୍ରୀପଦ୍ଧତିରେ ଧାନ ରୁଆ କାମ ଆରମ୍ଭ କରିଦେଇଛନ୍ତି । ଚଳିତବର୍ଷ ଏହି ପଞ୍ଚାୟତର ଅଧିକାଂଶ ସୁରାଟ ଫେରନ୍ତା ପ୍ରବାସୀ ଓଡିଆ ଚାଷକାର୍ଯ୍ୟକୁ ଆପଣାଇ ଏବେ ଧାନଚାଷରେ ଜୋରଦାର ଲାଗିପଡିଛନ୍ତି । ଚଳିତ ଖରିଫ ଋତୁରେ ଧାନଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବାରୁ ଧାର୍ଯ୍ୟଲକ୍ଷ ପୁରଣ ଦିଗରେ ସେଭଳି କିଛି ଅସୁବିଧା ହେବନାହିଁବୋଲି ଜିଲ୍ଲା କୃଷି ଅଧିକାରୀ ଅର୍ଜୁନ ବିଶୋୟୀ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.