ଭଦ୍ରକରେ‘ଲକ୍ଡାଉନ’ନେଇ ପ୍ରଶାସନର ସମୀକ୍ଷା ବୈଠକ ସାମାଜିକ ଦୂରତ୍ୱ ରକ୍ଷା କରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେବ ସକାଳ୬ରୁ ୯ ଓ ଅପରାହ୍ନ ୪ରୁ ୬ଟା ଯାଏଁ ପନିପରିବା-ମାଛମାଂସ ବିକ୍ରି କଲେଜରୋଡ ପରିବା ମାର୍କେଟ ବନ୍ଦ ହେବ
ଭଦ୍ରକ:‘କରୋନା’ ପାଇଁ ଭଦ୍ରକରେ ‘ଲକ୍ଡାଉନ’(ତାଲାବନ୍ଦ) ନେଇ ଆଜି ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନସାଧାରଣଙ୍କ ଅତ୍ୟାବଶ୍ୟକ ଖାଦ୍ୟ-ଗ୍ରୋସରୀ, ପନିପରିବା, ମାଛ-ମାଂସ ଆଦି କିଣାବିକାକୁ ନେଇ ଜିଲ୍ଲା ପ୍ରଶାସନ ସହ ଆଜି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମୁଖ୍ୟ, ବଣିକ ସଂଘ ଓ ମିଲର ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦଭାବନା ଗୃହରେ ଅନୁଷ୍ଠିତ ବୈଠକରେ ଏସ୍ପି ରାଜେଶ ପଣ୍ଡିତ, ଅତରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଏପିଡି ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଆର୍ଟିଓ ବିରଞ୍ଜିନାରାୟଣ ଅଧିକାରୀ, ସିଏସଓ ମୀର ରାଜାଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ ।
‘ଲକ୍ଡାଉନ’ ବଳବତ୍ତର ରହିବା ଯାଏଁ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ପନିପରିବାର ଓ ମାଛ,ମାଂସ, ଅଣ୍ଡା କିଣାବିକା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ହୋଇଛି । ସକାଳ ୬ରୁ ୯ଟା ଓ ଉପରଓଳି ୪ରୁ ୬ଟା ମଧ୍ୟରେ ଏହି ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲା ରହିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି କିଣାବିକା ସମୟରେ ପରିବା ଦୋକାନ ଗୁଡିକ ନିର୍ଦ୍ଧାରିତ ୧ରୁ ୨ମିଟର ବ୍ୟବଧାନର ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜିର ଏହି ବୈଠକରେ କଲେଜରୋଡରେ ଦୀର୍ଘଦିନ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଓ ଅଳିଆ ଆବର୍ଜନ ସୃଷ୍ଟି କରୁଥିବା ପ୍ରଶାସନ ଓ ପୌରପାଳିକାକୁ ରାଜସ୍ୱ ଦେଉନଥିବା ଏକ ବ୍ୟକ୍ତିଗତ ପରିବା ମାର୍କେଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଦାସ କଡା ତାଗିଦ କରାଯାଇଛି ।
ନିର୍ଦ୍ଦେଶନାମା ଉଲ୍ଲଘଂନ କଲେ ଜୋରିମାନ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ସଂପୃକ୍ତ ମାଲିକଙ୍କୁ ସତର୍କ କରାଇଦେଇଥିଲେ । ଏହାବ୍ୟତୀତ ବାହାରୁ ଆସୁଥିବା ଗାଡିରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଶିଘ୍ର ତଥା ଭିଡନଜମାଇ ଅନଲୋଡିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ଯୋଗାଣ ବିଭାଗ ସହ ଯୋଗାଯୋଗ ରଖିବାକୁ ହୋଲସେଲର ମାନଙ୍କୁ କୁହାଯାଇଥିଲା । ଗ୍ରୋସରୀ, ଗୋଖାଦ୍ୟ, ମେଡିସିନ ଦୋକାନ ଖୋଲାଯିବାକୁ ନିର୍ଦ୍ଦେଶ ଦେବା ସହ ଭିଡ ନଜମାଇବାକୁ କଡା ତାଗିଦ କରାଯାଇଛି । ଆବଶ୍ୟକ ପଡିଲେ ପୋଲିସର ସହାୟତା ନେବାକୁ କୁହାଯାଇଛି । ଅନ୍ୟପକ୍ଷରେ ପୂର୍ବଭଳି ସମବାୟ ସମିତି ଗୁଡିକରେ ଧାନ ସଂଗ୍ରହ କାର୍ଯ୍ୟ ଚାଲୁରହିବ ଓ ମିଲର ମାନେ ଚାଉଳ ଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ଅନାବଶ୍ୟକ ଚା, ପାନ ଓ ଜଳଖିଆ ତଥା ଅନ୍ୟାନ୍ୟ ଦୋକାନ ଗୁଡିକ ଲକ୍ଡାଉନ ଯୋଗୁଁ ବନ୍ଦ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ମିଲର ସଂଘ ସମ୍ପାଦକ ଶେଖର ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ପବନ ବାଗଡିଆ, ବଣିକ ସଂଘର ଗୌରଚନ୍ଦ୍ର ପଣ୍ଡା, ଏକତା ମାର୍କେଟ ପ୍ରମୁଖ ଶ୍ରୀଧର ଲାହା, ନିରଞ୍ଜନ ଗୁପ୍ତା, ଅଶୋକ ଗୁପ୍ତା, ବିନୋଦ ଲାଖାନୀ ପ୍ରମୁଖଙ୍କ ସହ ଫଳ, ମାଛ-ମାଂସ ଓ ପନିପରିବା ଓ ଫଳଦୋକାନ ପ୍ରତିନିଧିମାନେ ଯୋଗଦେଇଥିଲେ ।