Odisha news

ପୁରୀ ସହର ନିର୍ଜନ, ରାତି ୮ରୁ ମହାପ୍ରଭୁଙ୍କ ପହୁଡ

0

ପୁରୀ,୨୩ା୩(ସବ୍ୟୁ):କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱରେ ଉଦ୍‌ବେଗ ଜନକ ପରିସ୍ଥିତି ସୃଷ୍ଟିହୋଇଥିବାବେଳେ ତାହାର ପ୍ରତିରୋଧ ଲାଗି ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଜନତା କର୍ଫ୍ୟୁ ୂପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ ସହର ପୁରୀରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ସହରବାସୀ ଘର ଭିତରେ ନିଜ ନିଜକୁ ଆବଦ୍ଧ ରଖିଥିଲେ । ତେବେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦୈନନ୍ଦିନ ନୀତି ଯଥାରୀତି ସମ୍ପନ୍ନ ହେଉଥିଲେ । ୨୦ ତାରିଖରୁ ଦର୍ଶନାର୍ଥୀଙ୍କ ପ୍ରବେଶ ବନ୍ଦ ରହିଥିବାବେଳେ ରାତି ୮ଟା ମଧ୍ୟରେ ପହୁଡ ନୀତି ଶେଷ ହୋଇଯାଉଛି । କେବଳ ସେବାୟତମାନେ ଶ୍ରୀମନ୍ଦିରକୁ ଯାଉଥିବା ଦେଖାଯାଉଛି । ଶ୍ରୀମନ୍ଦିରକୁ ଯାଉଥିବା ସେବାୟତମାନଙ୍କୁ ଥର୍ମାଲ ସ୍କିନିଂ କରାଯିବା ପରେ ଭିତରକୁ ଛଡାଯାଉଛି । ଦିନସାରା ସିଂହଦ୍ୱାର ପ୍ରାୟତଃ ଜନଶୂନ୍ୟ ଲକ୍ଷ୍ୟକରାଯାଇଛି ।

ଆଜି ସହରରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଥିଲା । ଖୁବ୍ କମ୍ ସଂଖ୍ୟକ ଯାନବାହନ ସହରରେ ଚଳାଚଳ କରୁଥିବାବେଳେ ଲୋକ ଚଳାଚଳ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିଲା । ବଡଦାଣ୍ଡଠାରୁ ଆରମ୍ଭ କରି ସହରର ସମସ୍ତ ପ୍ରମୁଖ ରାସ୍ତା ପ୍ରାୟ ଜନଶୂନ୍ୟ ହୋଇପଡିଥିଲା ।ଲକ୍ ଡାଉନ ଯୋଗୁଁ ସହରର ସମସ୍ତ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଓ ମଲ ବନ୍ଦ ରହିଥିଲା । ଦିନତମାମ ପୁଲିସ ସାଇରନ ବଜାଇ ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ବୁଲି ଦୋକାନ ବନ୍ଦ କରାଇଥିଲେ । ଲକ୍ ଡାଉନ୍ କଟକଣାକୁ ସୋମବାର ଠାରୁ ଅଧିକ କଡାକଡି କରାଯାଇଥିବାରୁ ସହରର ଛକ ଜାଗାମାନଙ୍କରେ ବ୍ୟାରିକେଡ୍ କରାଯାଇ ଧାଡି ଧାଡି ଓ ରାସ୍ତାରେ ଚଳାଚଳ କରୁଥିବା ଲୋକମାନଙ୍କୁ ବ୍ୟାପକ ଯାଞ୍ଚ କରାଯାଉଛି ।

ବଡଶଙ୍ଖ, ବଡ ଡାକ୍ତରଖାନା ଛକ, କଚେରୀ ଛକ ସମେତ ବିଭିନ୍ନ ପ୍ରମୁଖ ଛକମାନଙ୍କରେ ପୁଲିସ ଯାଞ୍ଚ କରୁଛି । ଲକ୍ ଡାଉନ୍‌କୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ପୁରୀ ସହରକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍‌କୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ଜଣେ ଲେଖାଏଁ ଡିଏସ୍‌ପି ରହିଥିବା ବେଳେ ପ୍ରତି ସେକ୍ଟରକୁ ଜଣେ ଲେଖାଏଁ ଇନ୍ସପେକ୍ଟରଙ୍କ ଦାୟିତ୍ୱରେ ରଖାଯାଇଛି । ପୁଲିସ ପକ୍ଷରୁ ୨୬ଟି ସ୍ଥାନକୁ ବ୍ଲକ ପଏଣ୍ଟ ଭାବେ ଚିହ୍ନଟ କରାଯାଇ ସେ ସବୁ ସ୍ଥାନରେ ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ପୁଲିସ ଏହି ସବୁ ସ୍ଥାନରେ ଯାନବାହନ ଓ ଯାତାୟତ କରୁଥିବା ଲୋକମାନଙ୍କୁ ଯାଞ୍ଚ କରୁଛି ।

ସହରକୁ ବାହାର ଗାଡିମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ୨୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହର ସାରା ପଇଁତରା ମାରିବାର ବ୍ୟବସ୍ଥା ହୋଇଛି । ଏପରିକି ସ୍ୱର୍ଗଦ୍ୱାରକୁ ଶବ ନେଇଯାଉଥିବା ଗାଡିଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି । ଶବ ସହ ଆସିଥିବା ସମ୍ପର୍କୀୟମାନଙ୍କ ବିସ୍ତୃତ ବିବରଣୀ ଲିପିବଦ୍ଧ କରାଯାଉଛି । ନିୟମ ଉଲଂଘନ କରି ଦୋକାନ ଖୋଲୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି । ତେବେ ଏତେ ସବୁ କଟକଣା ସତ୍ତ୍ୱେ କେତେକ କୌତୁହଳୀ ବ୍ୟକ୍ତି ମୋଟର ସାଇକେଲରେ ସହରର ବିଭିନ୍ନ ଅଞ୍ଚଳରେ ବୁଲୁଥିବା ଲକ୍ଷ୍ୟ କରାଯାଇଥିଲା । ଲକ୍ ଡାଉନ୍ ଯୋଗୁଁ ଆଜି ମଧ୍ୟ ବସ୍ ଓ ଟ୍ରେନ ଚଳାଚଳ ବନ୍ଦଥିଲା । ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି ।

Leave A Reply