ଭଦ୍ରକ,ତା୪/୩ : ଗତ ୧ ତାରିଖରେ ଜଣେ ନାବାଳକର ମୃତୁ୍ୟକୁ ନେଇ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଲ ଇଣ୍ଡିଆ ମେଡିକାଲ ଆସୋସିଏଶନ(ଏଆଇଏମ୍ଏ) ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି । ଇଣ୍ଡିଆନ ମେଡିକାଲ ଆସୋସିଏଶନର ଡାକ୍ତର,ମେଡିସିନ ରିପ୍ରେଜେଂଟିଭ ଓ କର୍ମକର୍ତାମାନେ ଜିଲା ମୁଖ୍ୟ ଚିକତ୍ସାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସପି ଅଫିସ ନିକଟରେ ପହଁଚିଥିଲେ । ଆସୋସିଏଶନ ସମ୍ପାଦକ ଡା.ହରେକୃଷ୍ଣ ନାୟକ,କୋଷାଧ୍ୟକ୍ଷ ଡା.ପ୍ରଦୀପ ନାୟକ, ଯୁଗ୍ମସମ୍ପାଦକ ଡା.ଯଶକେତନ ମହାନ୍ତି,ଡା.ମନୋଜ ପାଢ଼ୀ,ଡା.ଶତ୍ରୁଘ୍ନ ହାତୀ, ଡା.ବିଭୁତି ନାୟକ, ଡା.ଅମିତା ଦାଶ, ଡା.ରଞ୍ଜିତ ଖଟୁଆ ପ୍ରମୁଖ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରିବା ସହ ଡା.ରବୀନ୍ଦ୍ର କୁମାର ନାୟକଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଡାକ୍ତର ମାନେ କେବେ ଭୂଲ ଇଞ୍ଜେକସନ ଦିଅନ୍ତି ନାହିଁ,ରୋଗୀଙ୍କୁ ଭଲ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ଡା.ନାୟକ ଜଣେ ପ୍ରତିଷ୍ଠିତ ଭଲ ଡାକ୍ତର ଭାବେ ଜଣାଶୁଣା ଅଟନ୍ତି । ପିଲାଟିର ଅକସ୍ମାତ ମୃତୁ୍ୟ ନିଶ୍ଚିତ ଦୁଖଦ କଥା । କିନ୍ତୁ ତାଙ୍କ ନାମରେ ଏଭଳି ଅଭିଯୋଗ କରିବା ନିନ୍ଦାର ବିଷୟ ବୋଲି ଉପସ୍ତିତ ଡାକ୍ତରମାନେ କହିଛନ୍ତି
