Odisha news

ରନ୍ଧନ ଗ୍ୟାସ ଦାମ ବୃଦ୍ଧି ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

0

ଭଦ୍ରକ,ତା୪ା୩ : କେନ୍ଦ୍ର ସରକାର ଇତିମଧ୍ୟରେ ପୁନର୍ବାର ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୦ ବର୍ଷ ପୂର୍ବେ ଯାହାର ଦାମ ୪ଶହ ଟଙ୍କାରୁ ସାମାନ୍ୟ ଅଧିକ ଥିଲା ଏବେ ଏହା ୧୧ଶହ ଟପିଲାଣି । ଯାହାକି ଗରିବ ଓ ମଧ୍ୟବିତ୍ତ ପରିବାରମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହା କ’ଣ ଆଛାଦିନର ନମୁନା କି ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ବିକ୍ଷୋଭ ଓ ପ୍ରତିବାଦ ସଭାରେ ବହୁ ନେତୃମଣ୍ଡଳୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦର ବୃଦ୍ଧି ବିରୋଧରେ ପୁରୁଣା କଲେକ୍ଟରିଏଟ ସମ୍ମୁଖରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସବିତା ଚାନ୍ଦ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବଜେଟକୁ ଅମୃତ ବଜେଟ କହୁଥିବାବେଳେ, ଏହା ବାସ୍ତବରେ ତାହା ନୁହେଁ । ବରଂ ଦୁଇ ଶିଳ୍ପପତି ଆଦାନୀ ଓ ଅମ୍ବାନୀଙ୍କ ସ୍ୱାର୍ଥରେ ଏହି ବଜେଟ ପ୍ରସ୍ତୁତ ହୋଇଛି ଓ ୧୩୦ କୋଟି ଭାରତୀୟଙ୍କ ପାଇଁ ଅମୃତ ନୁହେଁ ବିଷ ସଦୃଶ ବୋଲି କହିଥିଲ । ଯାହାର ନମୁନା ହେଉଛି ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି । ଏବେ ୬୦ ଭାଗ ଲୋକ ବେରୋଜଗାର ଅଛନ୍ତି । ଉପା ସରକାର ସମୟରେ ୨୭ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ କରାଯାଇଥିବାବେଳେ, ଏହି ସରକାର ୩୦ କୋଟି ଲୋକଙ୍କୁ ଗରିବ ତାଲିକାଭୂକ୍ତ କରି ଅମୃତ ବଜେଟ ଆଣିଥିବା କହି ଡିଣ୍ଡିମ ପିଟୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା କ୍ଷେତ୍ରର ନେତା ନଳିନୀ ମହାନ୍ତି, ଜିଲ୍ଳା ମହିଳା କଂଗ୍ରେସ ଉପ ସଭାପତି ଶର୍ମିଷ୍ଠା ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସାଧାରଣ ସଂପାଦିକା ତିଳୋତ୍ତମା ଜେନା, ପ୍ରଭାତ ନଳିନୀ ପଣ୍ଡା, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଗଣେଶ ମଲ୍ଲିକ, ତନଭୀର ଖାନ, ମୁକିତ ଖାଁ, ଲାଲୁ ଖାଁ, ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ ଖାଁ, ବିଜୟ ବାରିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Nalco
Leave A Reply