ଭଣ୍ଡାରିପୋଖରୀ,୧୨ା୧୦ : ଭଣ୍ଡାରିପୋଖରୀ ବ୍ଲକ ପାଇଁ ୨୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ଷୋଳମପୁର ପଞ୍ଚାୟତର ମଣିନାଥପୁର ନରେନ୍ଦ୍ର କୁମାର ପରିଡା ସରକାରୀ ଉଚ୍ଚବିଦ୍ୟାଳୟକୁ ଏକାଦଶ ଓ ଦ୍ୱାଦଶ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ଚୟନ କରାଯାଇଛି । ଏଥିସହ ୨୦୨୩-୨୪ ଶିକ୍ଷାବର୍ଷ ଠାରୁ ଭଦ୍ରକ ଜିଲ୍ଲାର ୬ ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟସ୍ତରରେ ୧୮୩ଟି ହାଇସ୍କୁଲକୁ ଚୟନ କରାଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ୱାବଧାନରେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ବ୍ଲକରେ ଥିବା +୨ ଶିକ୍ଷାୟତନ ଠାରୁ ସର୍ବାଧିକ ଦୂରତା, ଉପଲବ୍ଧ ଭିତ୍ତିଭୂମି, ଉତ୍ତମ ପରିବେଶ ଆଦି ଆଧାରରେ ମଣିନାଥପୁର ଉଚ୍ଚ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶିକ୍ଷାଦାନ ପାଇଁ ଆପାତତଃ ନିଷ୍ପତ୍ତି ନିଆଯାଇଛି । ସେହିପରି ଜିଲ୍ଲାର ବାସୁଦେବପୁର ବ୍ଲକ ଅଧିନ ୧୭ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବେତଡା ପଞ୍ଚାୟତ ହାଇସ୍କୁଲ ଓ ଜୋନ ୧୮ ଅନ୍ତର୍ଗତ ସୁଗୋ ନୋଡାଲ ହାଇସ୍କୁଲରେ +୨ ଶିକ୍ଷାଦାନ ପାଇଁ ଅପଗ୍ରେଡ କରାଯିବାକୁ ପ୍ରସ୍ତାବ ହୋଇଛି । ଚାନ୍ଦବାଲି ବ୍ଲକର ୩ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଭୂଇଁବୃତ୍ତି ଟି.ଜି.ପି. ହାଇସ୍କୁଲ, ଧାମନଗର ବ୍ଲକ ୧୦ ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଉକôଳମଣି ନୋଡାଲ ଉଚ୍ଚ ବିଦ୍ୟାପୀଠ ଓ ତିହିଡି ବ୍ଲକ ୯ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ଚନ୍ଦ୍ରକବାଟବିନ୍ଧା ପି.ଏସ.ଏସ. ହାଇସ୍କୁଲ +୨ ସ୍ତର ଶିକ୍ଷାଦାନ ସ୍ତରକୁ ଅପଗ୍ରେଡ ହେବ ବୋଲି ପ୍ରସ୍ତାବ ଚୁଡାନ୍ତ ହୋଇଛି ।
