ଭଦ୍ରକ : ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଜିଲ୍ଲାସ୍ତରୀୟ ବୈଠକ ଭଦ୍ରକ ଗାନ୍ଧିପଡ଼ିଆସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅଲ ଓଡ଼ିଶା ଅଙ୍ଗନୱାଡୀ କର୍ମୀ ଓ ସହାୟିକା ସାମ୍ମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଞ୍ଜରୀ କରଣ ଓ ସାଧାରଣ ସମ୍ପାଦିକା ନନ୍ଦିତା ଦତ୍ତ ଓ ବିଜୁଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ବିଶ୍ୱଜିତ୍ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଅଙ୍ଗନୱାଡ଼ି କର୍ମୀମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସାମୁଖ୍ୟ ଅବିରତ କାର୍ଯ୍ୟ କରୁଛି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । କର୍ମୀମାନଙ୍କର ଦରମା ଭତ୍ତା ଓ ପ୍ରମୋସନ ବିଷୟରେ ରାଜ୍ୟସରକାରଙ୍କର ପ୍ରମୁଖ କମିଶନର ଓ ସଚିବଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥୁବାର ପ୍ରକାଶ କରିଥିଲେ । ସାମ୍ମୁଖ୍ୟର ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ରଙ୍କ ସଭାପତିତ୍ୱ କରିଥିଲେ । ଜିଲ୍ଲାର ଅନ୍ୟତମ ନେତ୍ରୀ ପୁଷ୍ପିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
