ଭଦ୍ରକ:ଭଦ୍ରକ ଜିଲ୍ଳା ବିଜୁ ଜନତା ଦଳର ସଭାପତି ହେଲେ ଜଗନ୍ନାଥ ସ୍ୱାଇଁ । ଆଜି ରାଜ୍ୟ ବିଜେଡି ନିର୍ବାଚନ କାର୍ଯ୍ୟାଳୟର ତରଫରୁ ଶ୍ରୀ ସ୍ୱାଇଁଙ୍କ ନାମ ଘୋଷଣା କରାଯାଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡି ସଭାପତି ଥିବା ସାଂସଦ ଅର୍ଜୁନଚରଣ ସେଠୀ ଦଳରୁ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ସ୍ୱାଇଁଙ୍କୁ ଜିଲ୍ଳା ସଭାପତି ଦାୟତ୍ୱ ଦଳ ତରଫରୁ ମିଳିଥିଲା ।
ଆଜି ବିଧିବଦ୍ଧ ଭାବେ ଜିଲ୍ଳା ବିଜେଡି ସଭାପତି ଭାବେ ନାମ ଘୋଷଣା ପରେ ସେ ଦଳର ସୁପ୍ରିମୋ ନବୀନ ବାବୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ତଥା ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଆଜି ସାକ୍ଷାତକାର ସମୟରେ ସଭାପତି ଶ୍ରୀ ସ୍ୱାଇଁ ତୃଣମୂଳସ୍ତରୁ ଦଳକୁ ସୁସଙ୍ଗଠିତ କରିବାକୁ ପ୍ରାଥମିକତା ଦେବା ସହ ଦଳକୁ ମଜବୁତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବି ବୋଲି ସେ କହିଥିଲେ । ବିଶେଷ କରି ଦଳୀୟ ଶୃଙ୍ଖଳା ଓ ଏକତା ରକ୍ଷା କରି ନବୀନ ବାବୁଙ୍କ ନିର୍ମଳ ଭାବମୂର୍ତ୍ତିକୁ ବଜାୟ ରଖିବାକୁ ପ୍ରୟାସ ଜାରି ରଖିବି ବୋଲି ମଧ୍ୟ କହିଛନ୍ତି ।
ମୁଖ୍ୟତଃ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାର ୫ଟି ବିଧାନସଭା ଓ ଏକମାତ୍ର ଲୋକସଭା ଆସନକୁ ବିଜେଡି ଦଖଲ ରହିବ, ଏଦିଗରେ ଉଦ୍ୟମ ଜାରି ରଖିବି । ଏଥିପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତା, ନେତା ଓ କର୍ମମାନଙ୍କ ସେ ସହଯୋଗ କାମନା କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ: ନିର୍ବାଚିତ ସଭାପତି ଶ୍ରୀ ସ୍ୱାଇଁ ୧୯୯୨ମସିହାରୁ ୧୯୯୬ ଯାଏଁ ଭଦ୍ରକ ବ୍ଲକର ଅଧ୍ୟକ୍ଷ ଥିଲେ । ପରେ ୨୦୦୨ରୁ ୨୦୦୭, ୨୦୦୯ରୁ ୨୦୧୨ ଓ ୨୦୧୨ରୁ ୨୦୧୭ ଯାଏଁ ୩ଥର ଲାଗି ଭଦ୍ରକ ଜିଲ୍ଲା ପରିଷଦ ସଭାପତି ଥିଲେ । ସେହିଭଳି ଜିଲ୍ଳା ବିଜେଡିର ଉପସଭାପତି ଓ କାର୍ଯ୍ୟକାରୀ ସଭାପତି ପଦବୀରେ ଥିଲେ ।