ସୁପ୍ରିମକୋର୍ଟଙ୍କ ଆଦେଶ ଓ ଜିଲ୍ଲା ପ୍ରଶାସନର କଟକଣା : ଭଦ୍ରକ ଜିଲ୍ଳାରେ ଗଡିବନି ୧୬୨ଟି ରଥ, ଶ୍ରଦ୍ଧାଳୁ ମହଲରେ ନୈରାଶ୍ୟ
ଭଦ୍ରକ :ଚଳିତ ବର୍ଷ ଭଦ୍ରକ ଜିଲ୍ଳାରେ ରଥଯାତ୍ରା ହୋଇପାରିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ପରେ ଏହି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି କଟକଣା ଜାରି କରିଛନ୍ତି । ଜିଲ୍ଲାପାଲଙ୍କ ଏହି କଟକଣାର ନିର୍ଦ୍ଦେଶନାମା(ନଂ-୮୦୩୯, ୧୮.୬.୨୦)ଅନୁଯାୟୀ, ଆସନ୍ତା ୨୩.୬.୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଓ ୧.୭.୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡାଯାତ୍ରା ଜିଲ୍ଳାର କୌଣସି ଅଞ୍ଚଳରେ ପାଳନ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ଫଳରେ ଜିଲ୍ଲାର ୧୬୨ଟି ରଥ ନିର୍ମାଣ ସରିଥିଲେ ବି ଗଡିବନି । ସମସ୍ତ ଜଗନ୍ନାଥ ମନ୍ଦିର, ଧର୍ମସ୍ଥଳୀ ଓ ପୂଜାମଣ୍ଡପ ଗୁଡିକରେ ପୂଜାପାଠରେ ଜନସମାବେଶ ହେବ ନାହିଁ । ୭ଜଣରୁ ଉର୍ଦ୍ଧ୍ୱର୍ ଲୋକଙ୍କ ସମାବେଶ ହେବ ନାହିଁ । କେବଳ ୨ଜଣ ସେବାୟତ ବା ପୂଜକଙ୍କ ଦ୍ୱାରା ଠାକୁରଙ୍କ ନୀତିକାନ୍ତି କରାଯିବ । ଭକ୍ତମାନେ ମନ୍ଦିର ଭିତରକୁ କିମ୍ବା ପରିସରକୁ ଯିବେ ନାହିଁ ।
ସମସ୍ତେ କୋଭିଡ୍-୧୯ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିବେ ଓ ଅନ୍ୟାନ୍ୟ ନୀତି ନିୟମକୁ କଡାକଡିଭାବେ ପାଳନ କରିବା ପାଇଁ କୁହାଯାଇଛି । ସୂଚନାଯୋଗ୍ୟ, ଜିଲ୍ଲାର ୭ଟି ବ୍ଲକ ଅଞ୍ଚଳରେ ୧୬୨ଟି ସ୍ଥାନରେ ପ୍ରତିବର୍ଷ ରଥ ପାଳନ କରାଯାଇଥାଏ । ଏହା ମଧ୍ୟରୁ ଭଦ୍ରକ ଟାଉନ ଥାନା ଓ ପୁରୁଣାବଜାର ଥାନା ଅଞ୍ଚଳରେ ୨୦ଟି ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ୧୯ଟି ସ୍ଥାନରେ ରଥଯାତ୍ରା ପ୍ରତିବର୍ଷ ପାଳିତ ହୋଇଥାଏ । ବିଶେଷ କରି ଭଦ୍ରକ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉତ୍ତରବାହିନୀ ସଦାବର୍ତ୍ତ ମଠ, ଭଦ୍ରକାଳୀ ମନ୍ଦିର ଓ କେଶପୁର ହରିବୋଲ କ୍ଷେତ୍ର ମୁଖ୍ୟତଃ ଏହି ୩ଟି ରଥଯାତ୍ରା ପୁରୀ ଜଗନ୍ନାଥ ମନ୍ଦିର ନୀତିକାନ୍ତି ଅନୁଯାୟୀ ପାଳିତ ହୋଇଥାଏ ।
ଏହା ମଧ୍ୟରୁ ହରିବୋଲ କ୍ଷେତ୍ର କେଶପୁରରେ ସ୍ୱତନ୍ତ୍ରଭାବେ ୩ଟି ରଥ ଟଣାଯାଇଥାଏ । ବିଶେଷ କରି ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିବାର ନିଆରା ପରମ୍ପରା ରହିଛି ଏଠି । ଏହାକୁ ଜିଲ୍ଳା ପ୍ରଶାସନ ତରଫରୁ ଜିଲ୍ଲାପାଳ ରଥଟଣା ସମୟରେ ଛେରାପହଁରା କରିଥାନ୍ତି । ସେହିପରି ଉତ୍ତରବାହିନୀ ସଦାବର୍ତ୍ତ ମଠର ରଥ(ଗୋଟିଏ)କୁ ଅତିରିକ୍ତ ଜିଲ୍ଲାପାଳ ଓ ଭଦ୍ରକାଳୀ ମନ୍ଦିର ରଥକୁ ଉପଜିଲ୍ଲାପାଳ ଛେରାପହଁରା କରିଥାନ୍ତି । ତେବେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀ ରଥଯାତ୍ରାକୁ ଅନୁସରଣ କରି ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶପରେ ରଥ ନିର୍ମାଣ ହୋଇଥିଲେ ବି ଏଥର ଆଉ ଗଡିବିନ । ଫଳରେ ବିଭିନ୍ନ ଶ୍ରଦ୍ଧାଳୁଙ୍କ ମହଲରେ ନୈରାଶ୍ୟ ଖେଳିଛି ।