Odisha news

ଅନନ୍ୟ ଧାନଶୋଳ ଗ୍ରାମର ପରମ୍ପରା : ଏଠାରେ ଜାଗର ଜାଳନ୍ତି ଲୋଧା ମହିଳା

0

ବେତନଟୀ: ବେତନଟୀ ଥାନା ଅଧୀନ ଜଙ୍ଗଲ ପରିବେଷ୍ଟନୀ ମଧ୍ୟରେ ଥିବା ଧାନଶୋଳ ଗ୍ରାମରେ ଥିବା ଧାନେଶ୍ୱର ବାବାଙ୍କ ଶିବ ମନ୍ଦିର । ଏହି ମନ୍ଦିରରେ ଲୋଧା ଜନଜାତି ସଂପ୍ରଦାୟର ମହିଳା ମାନେ ଜାଗର ଜାଳୁ ଥିବାର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳେ । ଏହି ଗ୍ରାମରେ ବ୍ରାହ୍ମଣ, ଗଉଡ, ମୁଣ୍ଡାରୀ, ସାନ୍ତାଳ ଓ ଲୋଧା ସଂପ୍ରଦାୟର ଲୋକମାନେ ବସବାସ କରନ୍ତି । ମୋଟ ୧୫୦ ପରିବାର ମଧ୍ୟରୁ ୮୬ଟି ଲୋଧା ପରିବାର ଥିବାର ଜଣା ପଡିଛି । ମୟୂରଭଞ୍ଜରେ ବସବାସ କରୁ ଥିବା ସମସ୍ତ ଜନଜାତି ଓ ବନବାସୀ ସଂପ୍ରଦାୟଙ୍କର ନିଜ ନିଜର ପୂଜା ଓ ଆରାଧନା ଶୈଳୀ ରହିଛି । ବନବାସୀ ଜାତି ଭାବେ ପ୍ରଖ୍ୟାତ ଲୋଧା ଜନଜାତି ମୁଖ୍ୟତଃ ମାତା ମନସାଙ୍କୁ ପୂଜା କରନ୍ତି ।

ନିଶଦ୍ଦ ରାତ୍ରୀରେ ଏହି ପୂଜାର୍ଚ୍ଚନା କରିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଆନ୍ତି । ସପ୍ତଫେଣୀ ସିଜୁ ସହିତ ପୁରାତନ ଉଇ ଟିକିରାକୁ ପୂଜା କରା ଯାଇ ଥାଏ । ଲୋଧା ସଂପ୍ରଦାୟର ଦେହୁରୀ ମାନେ ପୂଜାର୍ଚ୍ଚନା କରିବା ବେଳେ ଏହି ଉଇ ଟିକିରା ଗୁଡିକରୁ ନାଗ ସାପ ମାନେ ଦେଖା ଦିଅନ୍ତି ଓ ମାତା ମନସାଙ୍କ ପ୍ରତିନିଧି ବୋଲି ଏହି ନାଗଙ୍କୁ ପୂଜାର୍ଚ୍ଚନା କରି ଲୋଧା ଜନଜାତି ଆର୍ଶିବାଦ ଭିକ୍ଷା କରନ୍ତି । ସାରା ବର୍ଷ ଏହି ଜନଜାତି ଜଙ୍ଗଲରୁ କାଠ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରୁ ଥିବା ବେଳେ ମାତା ମନସାଙ୍କ ଦୟାରୁ ଏମାନଙ୍କୁ ସର୍ପାଘାତ ହୁଏ ନାହିଁ । ତେବେ ଏହି ଗ୍ରାମରେ ଥିବା ଲୋଧା ମହିଳା ମାନେ ଧୀରେ ଧୀରେ ଅନ୍ୟ ସଂପ୍ରଦାୟ ସହିତ ମିଶିବାକୁ ଆରମ୍ଭ କରିଛନ୍ତି ।

ସାମୁହିକ କାର୍ଯ୍ୟରେ ଏକ ପ୍ରକାର ଶାଢ଼ୀ ପିନ୍ଧିବା, ସାମୁହିକ ଘଟଉତ୍ତୋଳନ କରିବା, ଜାଗର ଜାଳିବା ଇତ୍ୟାଦି କାର୍ଯ୍ୟରେ ଏମାନେ ସାମିଲ ହେଉଛନ୍ତି । ଅନ୍ୟ ସଂପ୍ରଦାୟ ସହିତ ମିଶିବା ଫଳରେ ଧୀରେ ଧୀରେ ଶିକ୍ଷା ଓ ଚେତନାର ବିକାଶ ହେବାକୁ ଲାଗିଲାଣି । ନିଜର ପିଲା ମାନଙ୍କୁ ପାଠ ପଢ଼ାଇ ଆଗକୁ ବଢ଼ାଇବାର ପ୍ରୟାସ ମଧ୍ୟ ଜାରି ରହିଛି । ଲୋଧା ମହିଳା ମାନଙ୍କ ମଧ୍ୟରେ ଏହି ପରିବର୍ତ୍ତନର ପଥପ୍ରଦର୍ଶକ ସାଜିଛନ୍ତି ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଅନ୍ୟ ମହିଳା କର୍ମଚାରୀ ମାନେ ।

Leave A Reply