Odisha news

ବେତନଟୀ ବ୍ଳକରେ ବସୁଧା ଜଳ ଯୋଗାଣ ବ୍ୟବସ୍ଥା ଦିଗହରା , ପ୍ରଚଣ୍ଡ ରୌଦ୍ରତାପ ରେ ପାଣି ପାଇଁ ଡହଳ ବିକଳ ସ୍ଥାନୀୟ ଲୋକେ

0
ବେତନଟୀ : ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିକାଶର କାର୍ଯ୍ୟକୁ ପାଥେୟ କରି କ୍ଷମତାକୁ ଆସିବା ପରେ ଫଳ କିନ୍ତୁ ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳିତ ହେଉଛି l ରାସ୍ତା , ପାଣି , ଶିକ୍ଷା କୁ ଗୁରୁତ୍ୱ ଦେଉଥିବା ନେଇ ବାରମ୍ବାର ଡିଣ୍ଡିମ ପିଟୁ ଥିଲେ ବି ବାସ୍ତବରେ  ସ୍ଥାନୀୟ ଲୋକେ ଏହାଠୁ ବହୁ ଦୂରରେ ଥିବା ପରିଲକ୍ଷିତ ହେଉଛି l ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜର୍ଜରିତ ହେଉଥିବା ବେଳେ ବେତନଟୀ ବ୍ଲକ ର ଅନେକ ଗ୍ରାମ ଗୁଡିକରେ” ବସୁଧା ଯୋଜନା” ରେ  ପାଣି ପାଇଁ ସାତ ସପନ ପ୍ରାୟ ହୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ର ବେତନଟୀ ବ୍ଲକ ଅଧୀନ ରେ ବିଭିନ୍ନ ଗ୍ରାମ ମାନଙ୍କରେ ବସୁଧା ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇପାରିନାହିଁ , କେଉଁଠାରେ ନିର୍ମାଣ ହୋଇଛି ତ ଘର ମାନଙ୍କୁ ସଂଯୋଗ କରାଯାଇ ନାହିଁ , କେଉଁଠାରେ ସମସ୍ତ କାର୍ଯ୍ୟ ସରିଥିବା ବେଳେ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ, କେଉଁଠି ନିର୍ମାଣର ଅଳ୍ପଦିନ ଭିତରେ ଟାଙ୍କିରୁ ପାଣି ଝରୁଛି ଭଳି ନାନା ସମସ୍ୟା ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମାନଙ୍କ ଜ୍ଞାତ ସାରରେ ହେଉଥିବା ଅଭିଯୋଗ ହେଉଛି । ବସୁଧା ପାଣି ଟାଙ୍କିକୁ ବିଦ୍ୟୁତ ସଂଯୋଗ କୁ ନେଇ ବେତନଟୀ ବ୍ଲକ ଅଧୀନ ପୁରୁଣିଆ ପଞ୍ଚାୟତ ର ବାଛୁରୀପଡ଼ା ଗ୍ରାମରେ ଏକ ସମସ୍ୟା ଉପୁଜିଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ଠିକାଦାର ବା ବିଭାଗୀୟ ଅଧିକାରୀ ଙ୍କ ଦ୍ୱାରା ହୋଇ ପାରିନଥିବା ଦେଖାଯାଇଛି l ଅନୁରୂପ ଭାବେ ରଘୁପୁର ପଞ୍ଚାୟତର  ପଣସିଆ ଏବଂ ଖୁଣ୍ଟାପୁର ଠାରେ ବସୁଧା ପାଣି ଟାଙ୍କି ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ବେଳେ କେନ୍ଦୁଆ ପଞ୍ଚାୟତର ପଦ୍ମପୁର ଠାରେ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ର ଦେଖା ଯାଇଛି । ଠିକ ସେହିପରି ବୈଶିଙ୍ଗା ପଞ୍ଚାୟତ ଅଧୀନରେ ମହୁରୀ , ଦୁର୍ଗାପୁର, ନଛିପୁରିଆ ଠାରେ ପାଣି ଟାଙ୍କି ହେବା ଦୂର ର କଥା କେବଳ ପମ୍ପ ହାଉସ ର ଛାତ ପକାଇ ଠିକାଦାର ଛୁ ମାରିଥିବା ଦେଖା ଯାଇଛି । ଉକ୍ତ ଠିକାଦାର ମହୋଦୟଙ୍କୁ ଯୋଗାଯୋଗ କରିବା ପାଇଁ ଦୀର୍ଘ ଦିନ ହେବ ଚେଷ୍ଟା କରାଯାଉଥିଲେ ମଧ୍ୟ ବାବୁଙ୍କର ଫୋନ ସ୍ୟୁଚ ଅଫ l ସ୍ଥାନୀୟ ଜନସାଧାରଣ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି ବେତନଟୀ ବ୍ଳକର ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରେ ଏହିଭଳି ଜ୍ଞାତସାରରେ ହେଉଥିବା ଅବ୍ୟବସ୍ଥା ଓ ଠିକାଦାର ମାନଙ୍କର ମନମାନି ହେବା ପଛରେ କାରଣ କ’ଣ ?ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏହି ଫୋନର କୌଣସି ଉତ୍ତର ଦେଇନଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଜିଲ୍ଲା ଅଧିକାରୀ  ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ସହ ଯଥା ସମ୍ଭବ ପଦକ୍ଷେପ ନେଇ ଅଞ୍ଚଳ ବାସୀଙ୍କୁ ପାନୀୟ ଜଳ ଯୋଗାଇବାକୁ ଦାବୀ ହୋଇଛି।
Govt
Leave A Reply