ବେତନଟୀ : ବେତନଟୀ ବ୍ଲକ ଅଧିନ ସଠିଲୋ ପଞ୍ଚାୟତର ବାହାନଡା ବ୍ୟାଡମିଣ୍ଟନ କ୍ଲବ ପଡ଼ିଆରେ ଇନଡୋର ଷ୍ଟାଡିୟମ ସର୍ବସାଧାରଣ ଙ୍କ ଉଦ୍ଦେଶ୍ୟ ରେ କେନ୍ଦ୍ର ମନ୍ତ୍ରୀଙ୍କ କର କମଳ ରେ ଲୋକାର୍ପିତ ହୋଇଯାଇଛି। ଏଥି ନିମନ୍ତେ କ୍ଲବ ର ସଭାପତି ନିରଞ୍ଜନ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ମନ୍ତ୍ରୀ ଇଞ୍ଜିନିୟର ବିଶେଶ୍ଵର ଟୁଡୁ ଯୋଗଦାନ କରି ପ୍ରାରମ୍ଭରେ ନାମ ଫଳକ କୁ ଉନ୍ମୋଚନ କରିବା ସହ ଫିତା କାଟିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବେତନଟୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ତର ରମାକାନ୍ତ ସିଂହ ହିନ୍ଦୁସ୍ଥାନ ପେଟ୍ରୋଲିୟମ ର ଆଞ୍ଚଳିକ କ୍ଷେତ୍ରାଧିକାରୀ ଫାଲଗୁନି ସାହୁ ଅନ୍ୟତମ ଅଧିକାରୀ ରଞ୍ଜନ ଚୌରାସିଆ ବରିଷ୍ଠ ନାଗରିକ ରାଧାମୋହନ ବେହେରା ବାଲେଶ୍ଵର ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପରିଡା ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା ମଣ୍ଡଳ ସଭାପତି ରାଜକିଶୋର ଶାହା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଅମ୍ବିକା ବାରିକ ପ୍ରମୁଖ ଯୋଗ ଦାନ ଦେଇ ବକ୍ତବ୍ୟ ରଖିଥିଲେ। ସିଏସଆର ଅନୁଦାନ ପଚିଶ ଲକ୍ଷ ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମ ଟି ଅତି ଉଚ୍ଚ କୋଟୀର ହୋଇ ଥିବା ବେଳେ ଏହା ଦ୍ୱାରା ଗ୍ରାମାଞ୍ଚଳର ପିଲାମାନେ ବ୍ୟାଡମିଣ୍ଟନ ଖେଳିବା ସହିତ ତାଲିମ ମଧ୍ୟ ପାଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା। ପ୍ରସିଲ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜସେବୀ ରଞ୍ଜିତ କୁମାର ପ୍ରଧାନ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଗ୍ରାମର ବହୁ ଯୁବକ ଙ୍କ ସମେତ ବୟସ୍କ ବ୍ୟକ୍ତି ସ୍କୁଲ ପିଲାମାନେ ଯୋଗ ଦାନ କରିଥିଲେ।
