କୁଡୁମୀ ଏକତା ମଂଚ ତରଫରୁ ମୟୂରଭଞ୍ଜ ୧୨ ଘଂଟିଆ ବନ୍ଦ : ୧୮ ନଂ ଜାତୀୟ ରାଜପଥ ଅବରୋଧ କରି, ପାରମ୍ପରିକ ନୃତ୍ୟ ମାଧ୍ୟମରେ ଜଣାଇଲେ ପ୍ରତିବାଦ
ବେତନଟୀ : କୁଡୁମୀ ଏକତା ମଂଚ ଓଡିଶା, ପକ୍ଷରୁ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ଦାବିନଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା । ଓଡିଶା ସରକାରଙ୍କ କମିଶନର ତଥା ସଚିବଙ୍କ ପତ୍ର ସଂଖ୍ୟା ୧୩୩୮୯ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ନଂ-୩୭୩୨/ଡି.ଡବ୍ଲ୍ୟୁ, ଓ ମୟୁରଭଞ୍ଜ ସମେତ, ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ କୁଡୁମୀ ଜନଜାତିର ଆଦିମ ଅଧ୍ୟବାସୀ ସମ୍ପର୍କରେ ପ୍ରମାଣ, ସାଂସ୍କୃତିକ ପରମ୍ପରା, ଭୌଗଳିକ ଦୃଷ୍ଟିକୋଣରୁ ଭିନ୍ନତା, ଉଚ୍ଚ ଜାତିଙ୍କ ସହ ସମ୍ପର୍କ ଆଦି ବିଷୟରେ ସେର୍ଭ କରି ସାତଦିନ ଭିତେର ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାଲାଗି ନିର୍ଦ୍ଦେଶ ଥିଲା । ମାତ୍ର ଏ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ତହସିଲଦାର କୌଣସି ସର୍ଭେ ପାଇଁ ପଦେକ୍ଷପ ନେଇନାହାନ୍ତି ତେଣୁ ଓଡ଼ିଶା କୁଡୁମୀ ଏକତା ମଂଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ତଥା ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ସକାଳ ୬ ଘଟିକା ଠାରୁ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା। ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥ ର ଦାନ୍ତିଆଁମୁହାଁ ଠାରେ କୁଡ଼ୁମୀ ଏକତା ମଞ୍ଚ ତରଫରୁ ଶତାଧିକ ମହିଳା, ପୁରୁଷ ରାସ୍ତା ଅବରୋଧ କରିଥିଲେ। ଏହା ସହ ରାସ୍ତା ଉପରେ ପାରମ୍ପରିକ ବାଦ୍ୟଯନ୍ତ୍ର ତଥା ନୃତ୍ୟ ମାଧ୍ଯମରେ ନିଜ ନିଜର ପ୍ରତିବାଦ ଜଣାଇବା ସହ ବିଭିନ୍ନ ବ୍ୟାନର , ପୋଷ୍ଟର ସହ ସ୍ଳୋଗାନ ମଧ୍ୟ ଦେଇଥିଲେ।ଏହି ବନ୍ଦ ପ୍ରଭାବରେ ୧୮ ନଂ ଜାତୀୟ ରାଜପଥ ଉପରେ ଶତାଧିକ ଭାରୀଯାନ ଟ୍ରକ, ବସ, ଟ୍ଯାକ୍ସି,କାର ଆଦି ସବୁ ଅଟକି ରହିଥିଲା। ବେତନଟୀ ଥାନାଧିକାରିଣୀ ସସ୍ମିତା ମହାନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚିବା ସହ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ଯାତାୟତ ସ୍ଵାଭାବିକ ହୋଇଥିଲା। ଏହି ବନ୍ଦର ପ୍ରଭାବ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବାର ଖବର ମିଳିଛି।