ବେତନଟୀ : ବୈଶିଙ୍ଗା ବନପାଳ ଅଧୀନ ଚୁଆପଦା ଜଙ୍ଗଲ ରାସ୍ତାରେ ମଙ୍ଗଳବାର ଭୋର ସମୟରେ ଜଙ୍ଗଲ ବିଭାଗର ମୋବାଇଲ ଭ୍ୟାନ ସହ ଚୋରା କାଠ ଗାଡି ଧକ୍କା ହୋଇଥିଲା। ଏଥିରେ ବନ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ଏବଂ ଚୋରା କାଠ ଗାଡି ଚାଳକକୁ କାବୁ କରିବା ସହିତ କାଠ ବୋଝେଇ ଗାଡିଟିକୁ ଜବତ କରିଛି ବନବିଭାଗ । ଘଟଣାରୁ ପ୍ରକାଶ ଶିଳପୁରିଆ, ମୋହନପୁର , ଚୁଆପଦା ଜଙ୍ଗଲରୁ ଶାଳ, ପିଆଶାଳ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଗୁଡ଼ିକ କ୍ରମାଗତ ଭାବେ ଚୋରା କାଠ ବେପାରୀ କାଟି ନେଇଯାଇ ବାହାର ଜିଲ୍ଲାକୁ ଚାଲାଣ କରିଦେଉଥିବା ବାରମ୍ଵାର ଅଭିଯୋଗ ହୋଇ ଆସୁଥିବା ବେଳେ ବନବିଭାଗ ଏମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନଥିଲା। ଗତକାଲି ରାତିରେ ବେତନଟୀ ରେଞ୍ଜର ମୋବାଇଲ ଭ୍ୟାନଟି ବୁଲୁଥିବା ବେଳେ ମଙ୍ଗଳବାର ଭୋର ସମୟରେ ବୈଶିଙ୍ଗା ଥାନା ଅଧୀନ କ୍ଷୀରପଦା ନିକଟରେ କାଠ ଗାଡି (ଓଡି-୧୩ ଆର-୮୬୫୮) ଉପରେ ନଜର ପଡ଼ିଥିଲା। ବନ କର୍ମଚାରୀ ତାକୁ ପିଛା କରୁଥିବା ବେଳେ ଚୁଆପଦା ଜଙ୍ଗଲ ରାସ୍ତାର କିଛି ଦୂର ପରେ ଆଗକୁ ଯାଇ ତାକୁ ଅଟକାଇ ସମୟରେ କାଠ ବୋଝେଇ ଭ୍ୟାନ ର ଚାଳକ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ବନ କର୍ମଚାରୀ ତାକୁ ମାଡି ବସିଥିଲେ। ଚାଳକ ଜଣକ ହେଲା ସୀମାନ୍ତ ବର୍ତ୍ତୀ ଦରକୁଳି ଗ୍ରାମର ରାମଚନ୍ଦ୍ର ଗିରିଙ୍କ ପୁଅ ଆଶିଷ ଗିରି(୨୮) । ଚାଳକ ଏବଂ କାଠ ବୋଝେଇ ଗାଡ଼ିଟିକୁ ଜବତ କରି ବେତନଟୀ ରେଞ୍ଜ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ମଧ୍ୟ ଘଟଣା ସ୍ଥଳରେ ମଧ୍ୟ ପହଞ୍ଚି ତଦନ୍ତ କରି ଫେରିଯାଇଥିବାର ଜଣା ଯାଇଛି। ଏହି ମିଶନ ରେ ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ,ରେଞ୍ଜର ଘନଶ୍ୟାମ ସିଂ ଏବଂ ଅନ୍ୟ ବନ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଏନେଇ ୨୦ (ବି) ୨୦୨୩-୨୪ ମୂଳେ ବନବିଭାଗର ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜଣକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।