ବେତନଟୀ/ବୈଶିଙ୍ଗା : ଓଡିଶାରେ ଶାସନ ଗାଦିକୁ ୨୨ ବର୍ଷ ଧରି ସମ୍ଭାଳିଥିବା ଆମ ସରକାର କେତେ ସ୍ଵଚ୍ଛ ତାହାର ପ୍ରମାଣ ହେଲା ରାସ୍ତା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଶିକ୍ଷା ବ୍ୟବସ୍ଥା। ଶିକ୍ଷା ଓ ସ୍ଵାସ୍ଥ୍ୟ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଗମନାଗମନ ବ୍ୟବସ୍ଥାକୁ ବିଚାରକୁ ନିଆଗଲେ ରାସ୍ତାକାମ ନାମରେ କେବଳ ଅର୍ଥ ହରିଲୁଟ୍ ହୋଇଥିବାର ଜଣାଯାଏ।ଯେଉଁ ରାସ୍ତା ତିଆରି ହେବାକୁ ତିନି ମାସ ସମୟ ଲାଗେ ସେ ସେହି ରାସ୍ତା ତିନି ମାସରେ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାର ପ୍ରମାଣ ସ୍ୱରୂପ ବୈଶିଙ୍ଗା -ରୁପ୍ସା ରାସ୍ତାର ଅବସ୍ଥାକୁ ଦେଖିଲେ ଯାଇ ବୁଝାପଡିବ । ଗତ ଛଅ ମାସ ତଳେ ବୈଶିଙ୍ଗା ଠାରୁ ଅସ୍ତପୁରା ପର୍ଯ୍ୟନ୍ତ ୫ କି.ମି.ରାସ୍ତା ମଧ୍ୟରୁ ତିନି କିମି ସମ୍ପୂର୍ଣ ହୋଇଥିଲା ବେଳେ ଆଉ ଦୁଇ କିମି ଅର୍ଦ୍ଧ ନିର୍ମିତ ଭାବେ ପଡି ରହିଥିବାର ଦେଖାଯାଇଛି। ଏହି ରାସ୍ତାଟି ୧୮ନଂ ଜାତୀୟ ରାଜପଥ ବୈଶିଙ୍ଗା ଠାରୁ ୬୦ ନଂ ଜାତୀୟ ରାଜପଥ ରୁପ୍ସା ସହିତ ସଂଯୋଗ କରୁଥିବାରୁ ଦୈନନ୍ଦିନ ଶହ ଭାରିଯାନ ଚଳାଚଳ କରିଥାଏ। ପ୍ରତିବର୍ଷ ଏହି ରାସ୍ତାର କିଛି ଅଂଶ ନୂଆ ପିଚୁ ହେବା ସହିତ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାଯାଇଛି। ସେହିଭଳି ଗତ ଛଅ ମାସ ତଳେ ବୈଶିଙ୍ଗା ଠାରୁ ଅସ୍ତପୁରା ପର୍ଯ୍ୟନ୍ତ ଯେଉଁ ରାସ୍ତା ପ୍ରସସ୍ତିକରଣ କରାଯାଇଥିଲା ତା ପାଇଁ ପ୍ରାୟ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସୂତ୍ରରୁ ଜଣାଯାଏ। ମାତ୍ର ସେହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ସହିତ ଅକର୍ମଣ୍ୟ ହେବା ଏବଂ ମୃତ୍ୟୁବରଣ କରିଥିବାର ମଧ୍ୟ ନଜିର ରହିଛି। ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବୀ ହେଉଛି।
