ବ୍ରହ୍ମପୁର,୧୦।୮: ବ୍ରହ୍ମପୁର ସହରକୁ ଗଞ୍ଜେଇ ଚାଲାଣ କରୁଥିବା ୩ଟି କାରକୁ ଅବକାରୀ ଗୁଇନ୍ଦା ବିଭାଗ ଜବତ କରିଛି । ସେଥିରୁ ମୋଟ ୬୪ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି କାରରେ ଗଞ୍ଜେଇ ଚାଲାଣ କରୁଥିବା ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ନୟାଗଡ ଜିଲା ଫତେଗଡ ଥାନା ଅନ୍ତର୍ଗତ ହନୁମନ୍ତପ୍ରସାଦ ଗ୍ରାମର ସନ୍ତୋଷ ପାତ୍ର(୨୯), କଟକ ଜିଲା ନିଆଳି ଥାନା ଆଠଗାଁର ଅନିରୁଦ୍ଧ ସାହୁ(୩୮), କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡମବାଡେଇ ଗ୍ରାମର ସୁଶାନ୍ତ ଦିଗାଲ(୨୯) ଓ ଜ୍ରକିରାହା ଗ୍ରାମର ପଇତ ଦିଗାଲ(୨୦) । ସୂଚନାପ୍ରକାରେ, ଆସିକା ପଟୁ ବ୍ରହ୍ମପୁର ସହରକୁ ଏକାଧିକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ନେହଲତା ନାୟକଙ୍କ ନିର୍ଦେଶକ୍ରମରେ ଏସଆଇ ଅଜିତ ନାୟକ ଏବଂ ତାଙ୍କ ଟିମ୍ ଆଙ୍କୁଶପୁର ଛକରେ ଯାନବାହନ ଯାଞ୍ଚ ଆରମ୍ଭ କରିଥିଲେ ।ଏହି ସମୟରେ ଆସିକାପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ତା’ ଭିତରୁ ୨୨ କେଜି ଗଞ୍ଜେଇ ମିଳିଥିଲା । ସେହିପରି ଏହା ପରେ ପରେ ଆଉ ୨ ଟି ଗାଡି ଯଥା ଗୋଟିଏ ଅଲଟୋ କାର ଏବଂ ଗୋଟିଏ ସ୍ପାର୍କ କାରରୁ ମଧ୍ୟ ୨୨ କେଜି ଲେଖାଏଁ ଗଞ୍ଜେଇ ମିଳିଥିଲା । ବିଭାଗୀୟ ଅଧିକାରୀମାନେ ୩ଟି କାରକୁ ଜବତ କରିବା ସହ ମୋଟ ୬୬ କେଜି ଗଞ୍ଜେଇ ଜବତ କରିଥିଲେ ।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
