ବ୍ରହ୍ମପୁର : ଜମି ବିକ୍ରି ନାଁରେ ୨ ଜଣ ମହିଳା ଠାରୁ ୧୫ ଲକ୍ଷ ୩୮ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ନିମଖଣ୍ଡି ଥାନା ପୁଲିସ ବୁଧବାର ଭାବିନୀପୁର ଶ୍ରୀନଗରର ଅଶୋକ କୁମାର ଜେନାଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଅଶୋକ ସ୍ତ୍ରୀ ପ୍ରିୟଙ୍କା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାପ୍ରକାରେ, ରାୟଗଡା ଜିଲା ଗୁଡାରୀ ଅଞ୍ଚଳରେ ରହୁଥିବା ହିଞ୍ଜିଳିକାଟୁ ବୁରୁପଡା ଗ୍ରାମର ମହିଳା ଉଷାରାଣୀ ବିଶ୍ବାଳ ଓ ତାଙ୍କ ସାନ ଭଉଣୀ ପୁଷ୍ପାଞ୍ଜଳି ବିଶ୍ବାଳ ବ୍ରହ୍ମପୁର ସହର ନିକଟରେ ଜମି କିଣିବାକୁ ଚାହଁୁଥିଲେ । ସେହିକ୍ରମରେ ଉଷାରାଣୀ ଓ ତାଙ୍କ ସାନ ଭଉଣୀ ପୁଷ୍ପାଞ୍ଜଳି ଅଶୋକ କୁମାର ଜେନାଙ୍କ ସହିତ ଉଭୟଙ୍କର ଯୋଗାଯୋଗ କରିଥିଲେ । ଅଶୋକ ଜମି କିଣାଇଦେବାକୁ କହି ଉଷାରାଣୀଙ୍କ ଠାରୁ ୮ ଲକ୍ଷ ଓ ପୁଷ୍ପାଞ୍ଜଳିଙ୍କ ଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ନେଇଥିଲେ । କିନ୍ତୁ କୌଣସି ଜମି ଦେଇ ନଥିଲେ । ଜମି ଦେବୀ ବୋଲି ପ୍ରତିଶ୍ରୁତି ପରେ ଦିନ ଗଢାଇ ଚାଲିଥିଲା ଅଶୋକ । ଶେଷରେ ବାଧ୍ୟହୋଇ ଉଭୟେ ଭଉଣୀ ଏ ନେଇ ନିମଖଣ୍ଡି ଥାନାରେ ପୃଥକ ପୃଥକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ପ୍ରଥମେ ବୁଧବାର ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ଅଶୋକଙ୍କ ସ୍ତ୍ରୀ ପ୍ରିୟଙ୍କା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
