Odisha news

ବଡ ମେଡିକାଲର ବଡ଼ ଗୁମର କଥା : ନିଶ୍ଚେତକ ଡାକ୍ତର ନ ଆସିବାରୁ ଅସ୍ତ୍ରୋପଚାର ବନ୍ଦ

0
ଵ୍ରହ୍ମପୁର, ଦିଗପହଣ୍ଡି ଗୁହାଳପୁର ଅଞ୍ଚଳର ବିପ୍ର ପ୍ରଧାନ(୬୦)ଙ୍କ ଝାଡ଼ା ବନ୍ଦ ହୋଇଯିବା କାରଣରୁ ସେ ଏମ୍‌କେସିଜି ମେଡିକାଲର  ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ। ପୂର୍ବାହ୍ନରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତ ପରୀକ୍ଷା କରାଯାଇଥିଲା। ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ରୋଗୀର ସର୍ଜରୀ କରିବା ନିତାନ୍ତ ଆବଶ୍ୟକ ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟମାନେ ସହମତି ପ୍ରକାଶ କରିବା ସହ ସମସ୍ତ କାଗଜରେ ଦସ୍ତଖତ କରିଥିଲେ। ଅସ୍ତ୍ରୋପଚାର କରିବାକୁ ସର୍ଜରୀ ଡାକ୍ତର ପ୍ରସ୍ତୁତ ହେବା ସହ ନିଶ୍ଚେତକ ବିଭାଗ ଡାକ୍ତରଙ୍କୁ କଲ୍‌ ଦେଇଥିଲେ। କିନ୍ତୁ ନିଶ୍ଚେତକ ବିଭାଗ ଡାକ୍ତର ନଆସିବାରୁ ପୁଣି ରାତି ୧୦ଟାରେ କଲ୍ ଦିଆଯାଇଥିଲା। ନିଶ୍ଚେତକ ବିଭାଗରୁ ଏଥିପ୍ରତି ଦୃଷ୍ଟି ଦିଆଯାଇନଥିଲା। ସର୍ଜରୀ ଡାକ୍ତରମାନେ ବାରମ୍ବାର ନିଶ୍ଚେତକ ବିଭାଗ ଡାକ୍ତରଙ୍କୁ ଫୋନ୍ କରି ଜଣାଇଥିଲେ। ତଥାପି ନିଶ୍ଚେତକ ବିଭାଗ ଡାକ୍ତରମାନେ ଆସିନଥିଲେ ବୋଲି ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଅଧୀକ୍ଷକ ଓ ରେଜିଷ୍ଟ୍ରାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଙ୍ଗଳବାର ପୂର୍ବାହ୍ନରେ ନିଶ୍ଚେତକ ବିଭାଗ ଡାକ୍ତରମାନେ ଆସି ରୋଗୀକୁ ଦେଖିଥିଲେ। ଏହା ପ୍ରଥମ ଘଟଣା ନୁହେଁ, ରାତିରେ ସର୍ଜରୀ ଆବଶ୍ୟକ ହେଲେ ନିଶ୍ଚେତକ ବିଭାଗ ଡାକ୍ତରମାନେ ଆସୁନଥିବା ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ଯାହାଫଳରେ ରାତିରେ କୌଣସି ସାଧାରଣ ଅସ୍ତ୍ରୋପଚାର ମଧ୍ୟ ଏଠାରେ ହୋଇପାରୁ ନାହିଁ। ସେପଟେ ୨୪ଘଣ୍ଟିଆ ସର୍ଜରୀ ସେବା ଯୋଗାଇବାକୁ ଏମ୍‌କେସିଜିରେ ରକ୍ତ ପରୀକ୍ଷା, ଇସିଜି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପଲବ୍ଧ ରହିଛି। ତଥାପି ନିଶ୍ଚେତକ ବିଭାଗ ଡାକ୍ତରମାନେ କାହିଁକି ଆସୁନାହାନ୍ତି ତାକୁ ନେଡ଼ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଘଟଣାକୁ ସଂପର୍କରେ ଏମ୍‌କେସିଜି ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ  କରାଯିବାରେ, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି।

Leave A Reply