ବ୍ରହ୍ମପୁର , ୧୦।୫- ଗତ ୮ତାରିଖ ବିଳମ୍ବିତ ରାତ୍ରରେ ଲୋଚାପଡ଼ା ସ୍ଥିତ ପାଣି ମହାପ୍ରଭୁଙ୍କ ମନ୍ଦିର ନିକଟରେ ସୁକୁଣ୍ଡା ଗ୍ରାମର ଦୀପକ ଭୂୟାଁ ନାମକ ଜଣେ ଯୁବକ ଲୁଟ୍ ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏସଂକ୍ରାନ୍ତରେ ୧୪୭/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ, ଦୀପକ ଗତ ୮ତାରିଖ ରାତିରେ ଜାମୁନିରୁ ଯାତ୍ରା ଦେଖି ବାଇକରେ ନିଜ ଘରକୁ ଫେରୁଥିଲେ। ପାଣିମହାପ୍ରଭୁଙ୍କ ମନ୍ଦିର ନିକଟରେ ୪ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍(ଗୋଟିଏ ବୁଲେଟ୍, ଗୋଟିଏ ଟିଭିଏସ୍ ଆପାଚି )ରେ ଆସି ତାଙ୍କ ବାଇକକୁ ମାରଣାସ୍ତ୍ର ଦେଖାଇ ଅଟକାଇଥିଲେ। । ଧମକ ଚମକ ଦେଇ ଦୀପକଙ୍କୁ ଦୁର୍ବୃତ୍ତମାନେ ଭୟଭୀତ କରିଥିଲେ। ପରେ ଦୀପକଙ୍କ ବେକରୁ ସେମାନେ ଦୁଇ ତୋଳାର ସୁନା ଚେନ୍, ୪୦ଗ୍ରାମର ରୁପା ବ୍ରେସ୍ଲେଟ୍, ମୋବାଇଲ୍ ଏବଂ ୨୨୦୦ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ।