ବ୍ରହ୍ମପୁର , ୧୪/୯- ଅବକାରୀ ଧରପଗଡ଼ ବେଳେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ରେ କଟକ ଯାତ୍ରା କରୁଥିବା ଜଣେ ବଂଗୀୟ ଯୁବକଙ୍କ ନିକଟରୁ ପ୍ରାୟ ୩୩ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଥିଲା। ଏତେ ଟଙ୍କା ଧରି କେଉଁଠୁ ଆଣିଲା, କେଉଁ ଆଡ଼େ ଯାଉଥିଲା ତା’ର ତଦନ୍ତ କରିବା ଭାର ବୈଦ୍ୟନାଥପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ସମ୍ପୂର୍ଣ୍ଣ ଗୋଟିଏ ଦିନ ଥାନାରେ ଅଟକ ରଖି ସେହି ବ୍ୟକ୍ତିକୁ ପଚରା ଉଚରା କରିଥିଲେ ମଧ୍ୟ ପୋଲିସକୁ କୌଣସି ସୁରାକ୍ ମିଳିନାହିଁ। ଅଟକ ଥିବା ବ୍ୟକ୍ତିର ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବେଳେ ସେ ତଦନ୍ତରେ ବିଲ୍କୁଲ୍ ସହଯୋଗ କରୁନାହିଁ। ତେଣୁ ଏହି ମାମଲାର ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥିବା ସମ୍ପର୍କରେ ବ୍ରହ୍ମପୁର ଏସ୍ପି ଡା.ଶରବଣା ବିବେକ ଏମ୍. ପ୍ରକାଶ କରିଛନ୍ତି।
ଗତମାସରେ ଏଭଳି ଜଣେ ସନ୍ଦିଗ୍ଦ ବ୍ୟକ୍ତି (ମହାରାଷ୍ଟ୍ରର ମୂଳ ବାସିନ୍ଦା) ଠାରୁ ଅବକାରୀ ବିଭାଗ କୋଟିଏର ଊର୍ଦ୍ଧ୍ବ ଟଙ୍କା ଜବତ କରି ପୁଲିସକୁ ହସ୍ତାନ୍ତର କରିଥିଲା। ପୁଲିସ ଏହାର ତଦନ୍ତ କରି ସୁନା କିଣାବିକା ଲିଙ୍କ୍ ପାଇଥିଲା। କିନ୍ତୁ ଟିକସ୍ ପାଙ୍କିବା ଅବା ସୁନା ଚୋରାଚାଲାଣ ହେବା ନେଇ ଅଧିକ ତଦନ୍ତ କରିବାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିଲା। କିନ୍ତୁ ଏହାର କିଛି ସୁଫଳ ମିଳିନଥିଲା। ଗତକାଲି ପୁଣିଥରେ ଗଂଜେଇ ସନ୍ଦେହରେ ଅବକାରୀ ବିଭାଗ ଯାଂଚ କଲାବେଳେ ଜଣେ ସାଦାସିଧା ଦେଖାଯାଉଥିବା ବ୍ୟକ୍ତି ଠାରୁ ବିପୁଳ ପରିମାଣର ଟଙ୍କା ମିଳିବା ନେଇ ସନ୍ଦେହ ଜାତ ହୋଇଥିଲା। ଟଙ୍କା ଭର୍ତ୍ତି ବ୍ୟାଗ୍ ସହ ସେହି ବ୍ୟକ୍ତିକୁ ପୁଲିସକୁ ହସ୍ତାନ୍ତର କରିଥିଲା। ପୁଲିସ ଏହି ଘଟଣାର ତଦନ୍ତ ଭାର ଅାୟକର ବିଭାଗକୁ ହସ୍ତାନ୍ତର କରିଛି।
