Odisha news

ସମବାୟ ସମ୍ପାଦକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଆସିଲା କୁଆଡ଼ୁ ?

ବେଲଗୁଣ୍ଠା, 05/10, ଦରମା ସ୍ଵଳ୍ପ କିନ୍ତୁ ଏ ମହଙ୍ଗା ଯୁଗରେ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ହେଉଛନ୍ତି ଜନୈକ ସମବାୟ ସମିତି ସମ୍ପାଦକ I ସମବାୟ ସମ୍ପାଦକ ଜଣଙ୍କ ହେଲେ ବେଲଗୁଣ୍ଠା ବୋରି ସମବାୟ ସମିତି ଲିମିଟେଡ୍ ର ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ I ସମ୍ପାଦକ ଶ୍ରୀ ପ୍ରଧାନଙ୍କ ନାମରେ ଚାଷୀଙ୍କ ଅଭିଯୋଗର ଲମ୍ବା ଫର୍ଦ୍ଦ I ସାର ଯୋଗାଣରେ ଅନିୟମିତତା ଠାରୁ ଆରମ୍ଭ କରି ଆର୍ଥିକ କାରବାର ନେଣଦେଣରେ ବ୍ୟାପକ ଚଞ୍ଚକତା କରି ସମ୍ପାଦକ ମହାଶୟ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି I ଚାଷୀଙ୍କ ଅଭିଯୋଗ ପ୍ରକାରେ ଶ୍ରୀ ପ୍ରଧାନ କ୍ୟାଡର୍ ପାଇବା ପୂର୍ବରୁ ତାଙ୍କ ଦରମା ମାତ୍ର 3000 ରୁ 4000 ଟଙ୍କା ମଧ୍ୟରେ ଥିଲା I ବର୍ତ୍ତମାନ ସେ ମାତ୍ର ପାଞ୍ଚ ବର୍ଷ ହେବ ସେ କ୍ୟାଡର୍ ପାଇଥିବା ବେଳେ ତାଙ୍କର ଦରମା ମାତ୍ର 11000 ରୁ 12000 ଟଙ୍କା ମଧ୍ୟରେ ରହିଛି I କିନ୍ତୁ ଏତେ କମ୍ ଦରମା ଏବଂ କମ୍ ସମୟ ମଧ୍ୟରେ ସମ୍ପାଦକ ମହାଶୟ ଯେଉଁ ଅପର୍ଯ୍ୟାପ୍ତ ସମ୍ପତ୍ତି ଠୁଳ କରିଛନ୍ତି ତାହା ଜାଣି ଚାଷୀଙ୍କ ଆଖି ଖୋସି ହୋଇଯାଇଛି I
ସୂଚନା ପ୍ରକାରେ ଶ୍ରୀ ପ୍ରଧାନ ପୂର୍ବରୁ ନିଜର ପୈତୃକ ଜମିବାଡ଼ି ବିକ୍ରି କରି ନିଜର ପ୍ରତିପୋଷଣ କରୁ୍ଥିବା ବେଳେ ବର୍ତ୍ତମାନ ତାଙ୍କର ଚଳଣି କିନ୍ତୁ ରାଜକୀୟ ଢ଼ଙ୍ଗରେ ଚାଲିଛି I ଶ୍ରୀ ପ୍ରଧାନ ଭଞ୍ଜନଗର ସାଇ ମନ୍ଦିର 2300 ବର୍ଗଫୁଟ୍ ପରିମିତ ସ୍ଥାନରେ ତିନି ମହଲା କୋଠା ତିଆରି କରିଛନ୍ତି ଯାହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ବୋଲି ଅନୁମାନ କରାଯାଉଥିବା ବେଳେ କିଣିଥିବା ଅନ୍ୟ ଏକ 40 ହାତ ବିଶିଷ୍ଟ ଜମିର ମୂଲ୍ୟ 150000 ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି I ସେହିପରି ଶ୍ରୀ ପ୍ରଧାନ ନିଜ ଶଶୁର ଘରେ ଏକ ଦାମୀ ଗାଡ଼ି କିଣିଥିବା ସୂଚନା ମିଳିଛି I ସେହିପରି ନିଜର ଦୁଇ ଛୁଆଙ୍କୁ ଦାମୀ ଘରୋଇ ବିଦ୍ୟାଳୟରେ ମଧ୍ୟ ପଢାଉଛନ୍ତି I ତେଣୁ ଜନ ସାଧାରଣ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଏତେ ଟଙ୍କା କେଉଁଠୁ ଆଣିଲେ ଯେ ସେ ତିନି ଚାରି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିବା ପାଇଁ ସମର୍ଥ ହେଲେ I ଏହି କୋଟି କୋଟି ଟଙ୍କାର ସଂପତ୍ତି ପାଇଁ ଶ୍ରୀ ପ୍ରଧାନ ସରକାରଙ୍କୁ ଟିକସ୍ ଦେଇଛନ୍ତି ତ ! ତେଣୁ ଏ ଦିଗରେ ପ୍ରଶାସନ ତରଫରୁ ନିରପେକ୍ଷ ତଦନ୍ତ କରାଗଲେ ସମସ୍ତ ରହସ୍ୟ ଜଣାପଡ଼ିବା ସହ ଉଭୟ ଚାଷୀ ଏବଂ ସରକାର ଲାଭବାନ ହେବେ ବୋଲି ଜନ ସାଧାରଣ ଦାବି କରିଛନ୍ତି I

Comments are closed.