ଭୁବନେଶ୍ୱର,(ନି.ପ୍ର): ଗତ କିଛିଦିନ ହେବ ସମଗ୍ର ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଲାଗି ରହିଛି । ପୋଲିସ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରି ସଫଳତାର ଡିଣ୍ଡିମ ପିଟୁଥିବାବେଳେ ମଙ୍ଗଳବାର ପୁଣି ଲୁଟେରା ବନ୍ଧୁକ ମୁନରେ ଏକ ଲକ୍ଷ ୧୨ ହଜାର ଟଙ୍କା ଲୁଟି ନେଇଥିବାବେଳେ ଦୁଇଟି ଘରୁ ୧୫ ଭରି ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ କରିବା ସହ ଘରର ଗେଟ୍ ଓ ପାଚେରୀ ପ୍ରଭୃତି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସନ୍ଧ୍ୟା ବେଳେ ଆପୋଲ୍ ହସ୍ପିଟାଲ ସମ୍ମୁଖ ବିଚ୍ ରାସ୍ତା ଉପରେ ଜଣେ ସ୍କୁଟି ଆରୋହୀ ଯୁବତୀଙ୍କଠାରୁ ଚେନ୍ ଝାମ୍ପି ନେଇଥିବାବେଳେ ସେ ତଳେ ପଡି ଗୁରୁତର ହୋଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ପଳାଶୁଣି କେନାଲ ବନ୍ଧରେ ଯୁବତୀଙ୍କଠାରୁ ଲୁଟେରା ଚେନ୍ ଲୁଟି ନେଇଥିଲେ, ସେ ତଳେ ପଡି ଗୁରୁତର ଭାବେ ଆହତ ହୋଇଥିଲେ । ସେହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନଥିବାବେଳେ ପୁଣି ଆପୋଲ୍ ହସ୍ପିଟାଲ ସମ୍ନାରେ ଅନୁରୂପ ଭାବେ ଯୁବତୀଙ୍କ ଠାରୁ ଲୁଟ୍ ହେବା ଘଟଣା ସହରର ଆଇନଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ କରୋନା ମହାମାରୀ ସଂକ୍ରମଣ ରୋକିବାରେ ବ୍ୟସ୍ତ ଥିବା ସୁଯୋଗ ନେଇ ଲୁଟେରା ଲୁଟ୍ପାଟ୍ କରିବାରେ ବ୍ୟସ୍ତ ଅଛନ୍ତି ।
ଉଜ୍ଜିବନୀ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ କଲେକସନ୍ ସାରି ଫେରୁଥିବାବେଳେ ବାଲିପାଟଣା ଥାନା ଅନ୍ତର୍ଗତ ଚଣାହାଟ ଛକ ନିକଟରେ ଦୁବୃର୍ତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷେ ୧୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବାଲିଅନ୍ତ ଥାନା ଅନ୍ତର୍ଗତ ଚାରି ନମ୍ବର ୱାର୍ଡ ଡିହପୁର ଗ୍ରାମର ତିନୋଟି ଘରୁ ଲୁଟେରା ଲୁଟ୍ ଉଦ୍ୟମ କରିଥିବାବେଳେ ଦୁଇଟି ଘରୁ ୧୫ ଭରି ସୁନା ଅଳଙ୍କାର, ୭ହଜାର ଟଙ୍କା ଲୁଟି ନେବାରେ ସମର୍ଥ ହୋଇଛନ୍ତି ।
୧୫ଭରି ସୁନା ଅଳଙ୍କାର ଚୋରୀ ହୋଇଥିବା ଘର ମାଲିକ ଯଯାତି କେଶରୀ ପ୍ରଧାନଙ୍କ କହିବାନୁଯାୟୀ, ସେମାନେ ଘରେ ଶୋଇଥିବାବେଳେ ଲୁଟେରା ତାଙ୍କ ଗେଟ୍ ଓ ପାଚେରୀ ଭାଙ୍ଗି ଭିତରକୁ ପଶିବା ସହ ସୁନା ଅଳଙ୍କାର ଓ ଅନ୍ୟାନ୍ୟ କେତେକ ଗରୁତ୍ୱପୂର୍ଣ୍ଣ ଜିନିଷ ଲୁଟି ନେଇଛନ୍ତି । ଅନ୍ୟ ଏକ ଘରୁ ୭ହଜାର ଟଙ୍କା ଓ ଅନ୍ୟ କେତେକ ଆସବାବପତ୍ର ନେଇ ଯାଇଥିବାବେଳେ ତୃତୀୟ ଘରେ ଲୁଟ୍ ଉଦ୍ୟମ କରିଥିଲେ । ଭୋର ହୋଇଯିବାରୁ ଲୋକମାନେ ଉଠିବା ଦେଖି ଲୁଟେରା ଖସିଯାଇଥିବା ଯଯାତି ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ସେ ଓ ତାଙ୍କ ପତ୍ନୀ ଘରେ ରହୁଥିବାରୁ ସ୍ଥାନୀୟ ଲୋକେ ସୁଯୋଗ ଉଣ୍ଡି ଏହି କାମ କରିଥିବା ସେ ସନେ୍ଦହ କରିଛନ୍ତି । ସ୍ୱାମୀ ଓ ସ୍ତ୍ରୀ ସକାଳୁ ଉଠି ଦେଖିବାବେଳକୁ ତାଙ୍କ ଘରର କବାଟ ବାହାରପଟୁ ବନ୍ଦ ରହିଛି । ଗେଟ୍ ଓ ପଚେରୀ ଭାଙ୍ଗି ଯାଇଛି ।
ଘରର ଅନ୍ୟ କୋଠରୀର ଆଲମାରୀ ପ୍ରଭୃତି ଭାଙ୍ଗି ଗହଣା ଲୁଟି ନେଇଛନ୍ତି । ମଙ୍ଗଳବାର ସକାଳ ଓ ମଧ୍ୟାହ୍ନ ଘଟଣାର ତଦନ୍ତ ପୋଲିସ ଚଳାଇଥିବାବେଳେ ଅପୋଲ୍ ହସ୍ପିଟାଲ ସମ୍ନାରେ ଯୁବତୀଙ୍କୁ ରାସ୍ତାରେ ଗଡାଇ ଚେନ୍ ଲୁଟିନେଲେ ବାଇକ୍ ଆରୋହୀ ଲୁଟେରା । ଆଗକୁ ଦୁର୍ଗାପୂଜା ଆସିବା ସହ ଲକ୍ଡାଉନ୍ ଖୋଲିବାପରେ ଲୁଟେରା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲେଣି । କେବଳ ଲୁଟ୍, ଡକାୟତି ନୁହେଁ ସାମନ୍ତରାପୁର ବିଚ୍ ରାସ୍ତା ଉପରେ ମିଠା ଦୋକନୀଙ୍କୁ ହାଣି ହତ୍ୟା କରି ଦୁବୃର୍ତ୍ତ ଖସି ଯାଇଛନ୍ତି ।
ସେହିପରି ପୂର୍ବରୁ ନୂଆପଲ୍ଲୀ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଘରେ ପଶି ଲୁଟ୍ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ଶିକ୍ଷୟତ୍ରୀଙ୍କର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ପୋଲିସ ୩୦୨ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିବାବେଳେ ହତ୍ୟାକରୀ ଲୁଟେରାଙ୍କ ପତ୍ତା ମିଳୁନାହିଁ । କେବଳ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣେ ଯୁବ ବ୍ୟବସାୟୀଙ୍କୁ ଗିରଫ କରିବା ପରେ ପୋଲିସ ଭାବୁଛି ଅପରାଧ ଦମନ ହୋଇଗଲା । ଲୁଟେରାଙ୍କ ଉତ୍ପାତ ଯୋଗୁ ସମଗ୍ର ରାଜଧାନୀରେ ଧନ ଜୀବନ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଲାଣି ।
