ଭୁବନେଶ୍ୱର,(ନି.ପ୍ର): ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗୋଟିଏ ଦିନରେ ଦୁଇ ଦୁଇଟି ଲୁଟ୍ କରି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସୋମବାର ଅପରାହ୍ନରେ ଦୁଇଜଣ ଦୁର୍ବୃତ୍ତ ଇନ୍ଫୋସିଟି ଥାନା ଅଧିନ ନନ୍ଦନ ବିହାରରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଖେଳଣା ବନ୍ଧୁକ ଦେଖାଇ ୨ଲକ୍ଷ ୮୦ ହଜାର ଲୁଟି ନେଇଥିଲେ, ଏହାର କେଇ ଘଣ୍ଟା ପୂର୍ବରୁ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧିନ ତ୍ରିନାଥବଜାରରୁ ଜଣେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ଚମ୍ପଟମାରିଥିଲେ ଲୁଟେରା । ଉଭୟ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥବବାବେଳେ, ହାତ ଏବେ ବି ଖାଲି ରହିଛି ।
ବାଲିଅନ୍ତା ଥାନା ଅଧିନ ଜଗନ୍ନାଥପୁର ଗାଁର ସୁନିତା ଜେନା ସୋମବାର ତ୍ରିନାଥବଜାର ସ୍ଥିତ ଇଣ୍ଡିଆନ ଓଭରସିସି ବ୍ୟାଙ୍କ୍ରୁ (ଆଇଓବି)ରୁ ୫ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ବ୍ୟାଗ୍କୁ ସ୍କୁଟିରେ ଟଙ୍ଗାଇ ଘରକୁ ଫେରୁଥିଲେ । ତ୍ରିନାଥ ବଜାର ନିକଟରେ ତାଙ୍କ ଘର କାମ ଚାଲିଥିଲା । ସେଠାରେ ତାଙ୍କ ସ୍ୱାମୀ ସୁରେଶ ଜେନା ଥିଲେ । ଉକ୍ତ ସ୍ଥାନରେ ସୁନିତା ଅଟକି ରହିଥିଲେ ।
ରାସ୍ତା ଉପରେ ସେ ସ୍ୱାମୀଙ୍କ ସହିତ କଥା ହେଉଥିଲେ । ଏହି ସମୟରେ ତାଙ୍କୁ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇ ଦ୍ରୁତ ବେଗରେ ବାଇକ୍ ଯୋଗେ ପଳାଇଥିଲେ । ମହିଳାଜଣଙ୍କ ଚିକ୍ରାର କରିଥିଲେ । ତାଙ୍କ ପାଟି ଶୁଣି ନିକଟ ଲୋକେ ଘଟଣାସ୍ଥଳରେ ପହଞ୍ଚô ଯାଇଥିଲେ ମଧ୍ୟ ଲୁଟେରା ଦ୍ୱୟ ସେତବେଳକୁ କେଉଁଆଡେ ପଳାଇ ଯାଇଥିଲେ । ଏ ସଂକ୍ରାନ୍ତରେ ଉକ୍ତ ମହିଳା ପାହାଳ ଫାଣ୍ଡିରେ ଏତଲା ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ହେଲେ ସମ୍ପୃକ୍ତ ଲୁଟେରାଙ୍କ ସମ୍ପର୍କରେ ପୁଲିସ୍ଙ୍କୁ କୌଣସି ସୁରାଗ ମିଳିନଥିବା ଜଣାପଡ଼ିଛି ।
ଅନ୍ୟପଟେ ଉଭୟ ଲୁଟ୍ ଘଟଣାର ୨୪ ଘଣ୍ଟା ବିତିଗଲାଣି । ଏବେ ସୁଦ୍ଧା ପୋଲିସ ହାତ ଖାଲି ରହିଛି । ଲୁଟ୍ ଅଭିଯୋଗ ପରେ ପୋଲିସ୍ ବ୍ୟାଙ୍କରେ ପହଞ୍ଚô ତଦନ୍ତ କରିଥିଲା । ବ୍ୟାଙ୍କ୍ରେ ଲାଗିଥିବା ସିସିଟିଭି ଫୁଟେଜରୁ ଲୁଟେରାଙ୍କୁ ଚିହ୍ନଟ କରିଥିଲା । ହେଲେ ଏହି ସିସିଟିଭି ଫୁଟେଜ୍ ଧରି ପୋଲିସ ତଦନ୍ତ ଜାରି ରଖିଛି । ଆଇଓବି ବ୍ୟାଙ୍କ ଲୁଟ କରିଥିବା ଦୁର୍ବୃତ୍ତଦ୍ୱୟ ସୁନିତାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଏଡାଇ ଦିଆଯାଇନପାରେ । କାରଣ ସୁନିତା ମଧ୍ୟ ତ୍ରିନାଥ ବଜାର ସ୍ଥିତ ଆଓବି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବାଟରେ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ । ଉପରୋକ୍ତ ଲୁଟେରାଦ୍ୱୟ ବୋଧହୁଏ ଆଇଓବି ବ୍ୟାଙ୍କକୁ ସୋମବାର ଟାର୍ଗେଟ କରିଥିଲେ ।