– ଭାରତରେ ଡିଜାଇନ୍, ନିର୍ମାଣ ଏବଂ ପରୀକ୍ଷଣ ଯାଏଁ ପୂର୍ଣ୍ଣ କ୍ଷମତା ବିକଶିତ କରିବା ପାଇଁ ପ୍ରସ୍ତୁତି
– ଉଭୟ ସମୂହ ଏରୋସ୍ପେସ୍ ଗ୍ୟାସ୍ ଟର୍ବାଇନ୍ କଂପ୍ଲେକ୍ସ ପ୍ରତିଷ୍ଠା କରିବାର ସମ୍ଭାବନା ଅନୁସନ୍ଧାନ କରିବେ
ମୁମ୍ବାଇ, ଅଗଷ୍ଟ ୧୪, ୨୦୨୬: ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ, ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାମ୍ନାକୁ ଆସିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରୋଲ୍ସ-ରଏସ୍ ଭାରତର ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏମସିଏ) କାର୍ଯ୍ୟକ୍ରମ ପାଇଁ ଏକ ସ୍ୱଦେଶୀ ଲଢ଼ୁଆ ଜେଟ୍ ଇଞ୍ଜିନର ଡିଜାଇନ୍, ବିକାଶ, ନିର୍ମାଣ ଏବଂ ଯୋଗାଣ ଦିଗରେ ଏକାଠି କାମ କାରବାପାଇଁ ସେମାନଙ୍କର ରଣନୈତିକ ଉଦ୍ଦେଶ୍ୟ ଘୋଷଣା କରିଛନ୍ତି। ଏଏମସିଏ ହେଉଛି ଭାରତର ପରବର୍ତ୍ତୀ ପିଢ଼ିର ଲଢ଼ୁଆ ବିମାନ କାର୍ଯ୍ୟକ୍ରମ ଏବଂ ଦେଶର ବାୟୁ ଶକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଦୁଇ କମ୍ପାନୀ ଭାରତରେ ଏକ ଉତ୍ସର୍ଗୀକୃତ ଏରୋସ୍ପେସ୍ ଗ୍ୟାସ୍ ଟର୍ବାଇନ୍ କଂପ୍ଲେକ୍ସ ପ୍ରତିଷ୍ଠା କରିବାର ସମ୍ଭାବନା ମଧ୍ୟ ଅନୁସନ୍ଧାନ କରିବେ। ଏହାକୁ ପାୱାର ଏବଂ ପ୍ରପଲସନ ଟେକ୍ନୋଲୋଜିର ‘ଉତ୍କର୍ଷ କେନ୍ଦ୍ର’ ଭାବରେ ବିକଶିତ କରିବାର ଯୋଜନା ରହିଛି। ପ୍ରସ୍ତାବିତ ସହଭାଗୀତାର ଲକ୍ଷ୍ୟ ହେଉଛି ଏଏମସିଏ ପାଇଁ ଇଞ୍ଜିନର ମିଳିତ ବିକାଶରେ ରୋଲ୍ସ-ରଏସ୍ର ଉନ୍ନତ ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟା ଏବଂ ରିଲାଏନ୍ସର ଉତ୍ପାଦନ ଦକ୍ଷତା, ପ୍ରଯୁକ୍ତିବିଦ୍ୟା ତଥା ବ୍ୟାପକ ସ୍ତରରେ କାର୍ଯ୍ୟ କରିବାର କ୍ଷମତାକୁ ଏକତ୍ର କରିବା।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି ଯେ ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ନିଜସ୍ୱ କ୍ଷମତା ଭାରତର ରଣନୈତିକ ସ୍ୱାୟତ୍ତତା ପାଇଁ ଜରୁରୀ। ରୋଲ୍ସ-ରଏସର ସର୍ବାଧୁନିକ ତଥା ଉନ୍ନତ ପ୍ରପଲସନ ବିଶେଷଜ୍ଞତା ଏବଂ ରିଲାଏନ୍ସର ପ୍ରଯୁକ୍ତି ତଥା ଉତ୍ପାଦନ କ୍ଷମତାକୁ ଏକାଠି କରି ଭାରତରେ ଏକ ସ୍ୱଦେଶୀ ଏରୋ-ଇଞ୍ଜିନ୍ ଇକୋସିଷ୍ଟମ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ଦେଶକୁ ଆତ୍ମନିର୍ଭର କରିବା ସହିତ ଭବିଷ୍ୟତରେ ଉନ୍ନତ ପ୍ରପଲସନ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ହେବାରେ ସହାୟକ ହୋଇପାରିବ।
ରୋଲ୍ସ-ରଏସ୍ର ସିଇଓ ଟୁଫାନ୍ ଏର୍ଗିନବିଲ୍ଗିଚ ଏହାକୁ ଭାରତରେ ଏକ ଦୃଢ଼ ଏବଂ ଆତ୍ମନିର୍ଭର ଏରୋସ୍ପେସ୍ ଇକୋସିଷ୍ଟମ୍ ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ରୋଲ୍ସ-ରଏସ୍ର ପ୍ରାୟ ଏକ ଶତାବ୍ଦୀର ଇଞ୍ଜିନିୟରିଙ୍ଗ ଏବଂ ଇଞ୍ଜିନ୍ ବିଶେଷଜ୍ଞତାକୁ ରିଲାଏନ୍ସର ଭାରତୀୟ ଔଦ୍ୟୋଗିକ କ୍ଷମତା ସହିତ ଯୋଡ଼ାଯିବ।
ପ୍ରସ୍ତାବିତ ଏରୋ ଗ୍ୟାସ୍ ଟର୍ବାଇନ୍ କଂପ୍ଲେକ୍ସରେ ଡିଜାଇନ୍, ବିକାଶ, ନିର୍ମାଣ, ପରୀକ୍ଷଣ, ଉତ୍ପାଦନ ଏବଂ ସମ୍ପୂର୍ଣ୍ଣ ଲାଇଫସାଇକଲ ଅବଧିରେ ଇଞ୍ଜିନ୍ ସପୋର୍ଟ ଭଳି କ୍ଷମତା ଭାରତରେ ବିକଶିତ କରିବାର ଲକ୍ଷ୍ୟ ରହିଛି। ଉଭୟ କମ୍ପାନୀ ଭବିଷ୍ୟତରେ ପ୍ରତିରକ୍ଷା, ବେସାମରିକ ଏରୋସ୍ପେସ ଏବଂ ନୂତନ ପାୱାର ଓ ପ୍ରପଲସନ ପ୍ରଣାଳୀଗୁଡିକରେ ମଧ୍ୟ ସହଭାଗିତାର ସମ୍ଭାବନା ଅନୁସନ୍ଧାନ କରିପାରନ୍ତି।
