Odisha news

ବଢ଼ିଲା ସୁନା , ରୁପା ଡର : ଚିନ୍ତାରେ ଗ୍ରାହକ

0

ଭୁବନେଶ୍ବର: ସୁନା ଓ ରୁପା ଦରରେ ହେଉଥିବା ହ୍ରାସରେ ବ୍ରେକ୍‌ ଲାଗିଛି। ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦର ୩୪୫୦ ଟଙ୍କା ବୃଦ୍ଧି ପାଇ ୧,୩୪,୪୫୦ ଟଙ୍କା ହୋଇଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୭୬୦ ଟଙ୍କା ବଢ଼ି ୧,୪୬,୬୭୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୧୦ ହଜାର ଟଙ୍କା ବୃଦ୍ଧି ପାଇ ୨,୬୦,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୮ ତାରିଖରୁ ସୁନା ଦର ଲଗାତାର ଭାବେ ହ୍ରାସ ପାଉଥିଲା। ମାର୍ଚ୍ଚ ୧୮ରୁ ୨୪ ତାରିଖ ମଧ୍ୟରେ ୨୨ କ୍ୟାରେଟ୍‌ ସୁନା ୧୩,୯୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୧୫,୧୭୦ ଟଙ୍କା ଶସ୍ତା ହୋଇଥିଲା। କେବଳ ଭୁବନେଶ୍ବର ନୁହେଁ ଆଜି ଦେଶବ୍ୟାପୀ ସୁନା ଓ ରୁପା ମହଙ୍ଗା ହୋଇଛି।

ଇଣ୍ଡିଆନ ବୁଲିଅନ୍‌ ଆଣ୍ଡ୍‌ ଜୁଏଲର୍ସ ଆସୋସିଏସନ୍‌ (ଆଇବିଜେଏ) ତଥ୍ୟ ଅନୁଯାୟୀ, ୨୪ କ୍ୟାରେଟ୍‌ ସୁନା ଦାମ୍‌ ୫୦୦୦ ଟଙ୍କା ବଢ଼ି ୧ ଲକ୍ଷ ୪୫ ହଜାର ଟଙ୍କା ହୋଇଛି। ରୁପା ଦର ମଧ୍ୟ ୯ ହଜାର ଟଙ୍କା ବଢ଼ି ୨.୩୪ ଲକ୍ଷ ଟଙ୍କା ହୋଇଛି। ଗତ ସପ୍ତାହଠାରୁ ସୁନା ଦର କମୁଥିବାରୁ କିଛି ଦିନ ହେଲାଣି ଗହଣା ଦୋକାନଗୁଡ଼ିକରେ ଗ୍ରାହକ ବଢ଼ୁଥିଲେ। ବିଶେଷଜ୍ଞମାନଙ୍କ ମତରେ ସୁନା ଦର ଯଥେଷ୍ଟ ଉଚ୍ଚ ସ୍ତରରେ ଥିବାରୁ ନିବେଶକମାନେ ବହୁତ ଭାବିଚିନ୍ତି ନିବେଶ କରୁଛନ୍ତି। ଗତ ସପ୍ତାହରୁ ସେଥିରେ ସୁଧାର ଧାରା ଆରମ୍ଭ ହୋଇଥିଲା। ଦାମ୍‌ କମ୍‌ ହେବା ପରେ ନିବେଶ ପାଇଁ ତାହା ପୁଣି ଆକର୍ଷଣୀୟ ବିକଳ୍ପରେ ପରିଣତ ହୋଇଛି। ନିବେଶ ବଢ଼ିବା ପରେ ଚାହିଦା ବଢ଼ିବା ସହ ସୁନା ମହଙ୍ଗା ହୋଇଛି।

Leave A Reply