ଜଳ ଜୀବନ ମିଶନ ୨.୦ ଅଧୀନରେ ଓଡ଼ିଶା ସହ ସଂସ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ
ଉତ୍ତରଦାୟୀ ଏବଂ ଗୋଷ୍ଠୀ ଜଳ ପରିଚାଳନା ଲାଗି ଦୀର୍ଘସ୍ଥାୟୀ ଗ୍ରାମୀଣ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର-ରାଜ୍ୟ ଭାଗିଦାରୀକୁ ପ୍ରୋତ୍ସାହନ
ଜଳ ଜୀବନ ମିଶନ ୨.୦ ଅଧୀନରେ ଦେଶବ୍ୟାପୀ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ କେନ୍ଦ୍ର ସରକାର ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଦୀର୍ଘସ୍ଥାୟୀ, ସ୍ୱଚ୍ଛ ଏବଂ ଗୋଷ୍ଠୀଭିତ୍ତିକ ଗ୍ରାମୀଣ ପାନୀୟ ଜଳ ସେବା ପ୍ରଦାନ ପାଇଁ ଏକ ଢାଞ୍ଚାଗତ ସଂସ୍କାର ଅଣାଯିବ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। କେନ୍ଦ୍ର-ରାଜ୍ୟ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଆନୁଷ୍ଠାନିକ ଭାବରେ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ, ଅର୍ଥ ସଚିବ ସଞ୍ଜୀବ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ରାଜ୍ୟ ଅଧିକାରୀମାନେ ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।
ଏହି ବୁଝାମଣାପତ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ଯୁଗ୍ମ ସଚିବ (ଜଳ) ସ୍ୱାତୀ ମୀନା ନାଏକ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ.ଏନ.ଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ଆବାସିକ କମିଶନର ବିଶାଳ ଗଗନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲ କହିଥିଲେ, ଜଳ ଜୀବନ ମିଶନ ଅଧୀନରେ କୋଟି କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ସଂଯୋଗ ଯୋଗାଇ ଦିଆଯାଇସାରିଛି। ଜେଜେଏମ ୨.୦ ଅଧୀନରେ ବର୍ତ୍ତମାନର ଭିତ୍ତିଭୂମିରେ ଥିବା ଅଭାବକୁ ପୂରଣ କରିବା, ଅବଶିଷ୍ଟ ପରିବାରଗୁଡ଼ିକୁ ସାମିଲ କରିବା ଏବଂ ଦୀର୍ଘସ୍ଥାୟୀ ଓ ନିର୍ଭରଯୋଗ୍ୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯାଇଛି। ରାଜ୍ୟଗୁଡ଼ିକର ଭାଗିଦାରୀରେ ହରଘର ଜଲ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ ମତ ରଖିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ହର ଘର ଜଳ ଲକ୍ଷ୍ୟ ହାସଲ ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି କହିଥିଲେ, ରାଜ୍ୟ ଜନଭାଗିଦାରୀ, ଆର୍ଥିକ ସ୍ଥିରତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଏବଂ ପ୍ରଭାବଶାଳୀ ତଦାରଖ ଉପରେ ଗୁରୁତ୍ୱ ଦେଇ ଜେଜେଏମ ୨.୦ କାର୍ଯ୍ୟକାରୀ କରୁଛି ।
ସେ କହିଥିଲେ, ସୁଜଳ ଭାରତ ପ୍ଲାଟଫର୍ମରେ ଜଳ ଯୋଗାଣ ସମ୍ପତ୍ତି ପଞ୍ଜୀକରଣ ଏବଂ ତଦାରଖ, ସ୍ୱଚ୍ଛତା ଓ ଦାୟିତ୍ୱ ବୃଦ୍ଧି ପାଇଁ ଅନନ୍ୟ ସୁଜଳ ଗ୍ରାମ ଆଇଡି ପ୍ରଦାନ କରାଯାଉଛି। ରାଜ୍ୟ ବସୁଧା ହେଲ୍ପଲାଇନ୍ ଓ ହ୍ୱାଟ୍ସଆପ୍ ଇଣ୍ଟରଫେସ୍ ମାଧ୍ୟମରେ ନାଗରିକ-କୈନ୍ଦ୍ରିକ ସେବାକୁ ସୁଦୃଢ଼ କରିବା ଏବଂ ଗ୍ରାମ ଜଳ ଓ ପରିମଳ କମିଟି ମାଧ୍ୟମରେ ଜନ ଭାଗୀଦାରୀଙ୍କୁ ପ୍ରୋତ୍ସାହିତ କରିବା ନିଶ୍ଚିତ କରୁଛି।
କେନ୍ଦ୍ର ମନ୍ତ୍ରୀ ଜଳ ଯୋଗାଣ ଯୋଜନାର ତଦାରଖ ଏବଂ ଉତ୍ତରଦାୟିତ୍ୱକୁ ଉନ୍ନତ କରିବା ପାଇଁ ଡିଜିଟାଲ୍ ସିଷ୍ଟମକୁ ସୁଦୃଢ଼ କରିବା, ଜଳ ଶକ୍ତି ଅଭିଯାନ ଅଧୀନରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଏବଂ ଜନ ଭାଗୀଦାରୀକୁ ପ୍ରୋତ୍ସାହିତ କରୁଥିବା ଗ୍ରାମ ଜଳ ଏବଂ ପରିମଳ କମିଟିଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି।