ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୬ : ଆଜି ଉତ୍ତରାଖଣ୍ଡର ବରିଷ୍ଠ ସାମ୍ବାଦିକମାନଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ଲୋକଭବନଠାରେ ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ରାଷ୍ଟ୍ରୀୟ ଏକତା ପରମ୍ପରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏହି ଆଲୋଚନା ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଦୁଇ ରାଜ୍ୟ ମଧ୍ୟରେ ବିଚାର, ଅନୁଭୂତି ଏବଂ ବିକାଶମୂଳକ ଦୃଷ୍ଟିକୋଣର ଏକ ଅର୍ଥପୂର୍ଣ୍ଣ ବିନିମୟରେ ପରିଣତ ହୋଇଥିଲା।
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଡେରାଡୁନସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଗଣମାଧ୍ୟମ ଗସ୍ତର ନେତୃତ୍ୱ ନେଇଥିଲେ ସହାୟକ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କୁମାର ସୁନ୍ଦ୍ରିୟାଲ। ଏହି ପ୍ରତିନିଧି ଦଳରେ ୧୩ ଜଣ ଗଣମାଧ୍ୟମ ପ୍ରତିନିଧି ସାମିଲ ରହିଛନ୍ତି ।
ଆଲୋଚନା ସମୟରେ, ଅତିଥି ସାମ୍ବାଦିକମାନେ ଉତ୍ତରାଖଣ୍ଡର ଅନନ୍ୟ ଭୌଗୋଳିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରିଚୟ ଉପରେ ଆଲୋକପାତ କରିଥିଲେ। ଦେବଭୂମି ନାମରେ ଖ୍ୟାତ ଏହି ରାଜ୍ୟ ନିଜର ପ୍ରମୁଖ ତୀର୍ଥସ୍ଥଳ, ପର୍ଯ୍ୟଟନ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସ୍ୱତନ୍ତ୍ର ପରିଚୟ ହାସଲ କରିଛି ।
ରାଜ୍ୟପାଳ ଏହି ଦିଗଗୁଡ଼ିକୁ ସ୍ୱୀକାର କରିଥିଲେ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନା ଦୃଷ୍ଟିରୁ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ସମାନତା ରହିଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ପୁରୀର ଜଗନ୍ନାଥ ମନ୍ଦିର ଏବଂ କେଦାରନାଥ ମନ୍ଦିର ଉଭୟ ଭାରତୀୟ ଆସ୍ଥାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଦେଶର ଦୀର୍ଘସ୍ଥାୟୀ ଆଧ୍ୟାତ୍ମିକ ଏକତାର ପ୍ରତୀକ।
ଓଡ଼ିଶାର ବିକାଶ ଯାତ୍ରା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ, ରାଜ୍ୟ ଏବେ ସ୍ଥିର ଭାବରେ ଏକ ସମୃଦ୍ଧ ଅଞ୍ଚଳ ଭାବରେ ଉଭା ହେଉଛି। ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ଏବଂ ଭିତ୍ତିଭୂମି ବିକାଶରେ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପ୍ରଭାବୀ ଢଙ୍ଗରେ ପହଞ୍ଚି ପାରୁଛି। ପୂର୍ବରୁ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଦ୍ୱାରା ପରିସ୍ଥିତି ମୁଖ୍ୟତଃ ନିୟନ୍ତ୍ରଣକୁ ଆସିଛି । ଫଳରେ ପୂର୍ବରୁ ବିଚ୍ଛିନ୍ନ ଥିବା ଅଞ୍ଚଳଗୁଡ଼ିକରେ ବିକାଶର ଲାଭ ପହଞ୍ଚିପାରିଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗରେ ଉନ୍ନତି ଘଟିଛି।
ଶିଳ୍ପ ବିକାଶ ସମ୍ପର୍କରେ ମତ ରଖି ରାଜ୍ୟପାଳ ଓଡ଼ିଶାକୁ ଏକ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ। ଆଲୁମିନିୟମ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ଭଳି କ୍ଷେତ୍ରରେ ନିବେଶ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିବା ସେ କହିଥିଲେ।
ଭିତ୍ତିଭୂମି ଉପରେ ବକ୍ତବ୍ୟ ରଖି, ସେ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ବଜେଟ୍ ଆବଣ୍ଟନ ଦ୍ୱାରା ସମର୍ଥିତ ବିଶ୍ୱସ୍ତରୀୟ ସଡ଼କ ନେଟୱର୍କ, ରେଳବାଇ କରିଡର ଏବଂ ବନ୍ଦରଗୁଡ଼ିକର ବିସ୍ତାର ଉପରେ ଆଲୋକପାତ କରିଥିଲେ। ସେ ସେମିକଣ୍ଡକ୍ଟର ଏବଂ ଆଇଟି କ୍ଷେତ୍ରରେ ନିବେଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଯାହା ଓଡ଼ିଶାକୁ ଏକ ଉଦୀୟମାନ ଆଇଟି ଏବଂ ଶିକ୍ଷା କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ଯାଉଛି। ରାଜ୍ୟପାଳ ଗୁଣାତ୍ମକ ଶିକ୍ଷା, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ପ୍ରଶଂସା କରିଥିଲେ।
ଉତ୍ତରାଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ସୂଚନା ଦେଇ ରାଜ୍ୟପାଳ କହିଥିଲେ, ୨୦୧୨-୧୩ରେ ସେ ରାଜ୍ୟ ଗସ୍ତରେ ଯାଇଥିଲେ। ସେଠାରେ ସେ ରାଜ୍ୟର ବିକାଶ ମଡେଲ ପର୍ଯ୍ୟବେକ୍ଷଣ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ପାଇଁ ପ୍ରଚଳିତ ଶିଳ୍ପ ପ୍ୟାକେଜ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ରୁଦ୍ରପୁର ଭଳି ଅଞ୍ଚଳ ଉପରେ ଏହାର ପରିବର୍ତ୍ତନକାରୀ ପ୍ରଭାବକୁ ଉଲ୍ଲେଖ କରିଥିଲେ ଯାହା ବ୍ୟାପକ ନିଯୁକ୍ତି ସୃଷ୍ଟି କରିଥିଲା।
ସେ ଦେଶବ୍ୟାପୀ ଦ୍ରୁତ ଭିତ୍ତିଭୂମି ବିକାଶ ଏବଂ ଏଥିରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସୱେକୁ ଏକ ଉଲ୍ଲେଖନୀୟ ଉଦାହରଣ ବୋଲି କହିଥିଲେ। ଏହି ରାଜପଥ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ ଓ ସଂଯୋଗୀକରଣକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି।
ଏଭଳି ଆନ୍ତଃରାଜ୍ୟ ସମ୍ପର୍କ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ କହିଥିଲେ, ପରସ୍ପରର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଦ୍ୱାରା ସାରା ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ। ସମାଜର ଦର୍ପଣ ଭାବରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।
ଶେଷରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ପଛୁଆ ରହିବାର ଚିନ୍ତାଧାରା ଠାରୁ ଆଗକୁ ବଢ଼ିଛି । ରାଜ୍ୟ ବର୍ତ୍ତମାନ ଅଭିବୃଦ୍ଧି, ସମୃଦ୍ଧି ଏବଂ ସୁଯୋଗର ଏକ ନୂତନ କାହାଣୀ ଲେଖୁଛି । ଏପରି ଆଲୋଚନା ଆଗକୁ ଜାରି ରହିବ ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ମତ ରଖିଥିଲେ ।