ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀମତୀ ଅନୁରୂପା ସିଂଙ୍କ ଦ୍ୱାରା ଅନୁବାଦିତ ଉପନ୍ୟାସ “ନୀଳାଚଳ ଚନ୍ଦ୍ର” ଉନ୍ମୋଚନ କରାଯାଇଛି। ପ୍ରେମ, କରୁଣା ଓ ଭକ୍ତିର ଆଧ୍ୟାତ୍ମିକ ଯାତ୍ରାକୁ ଆଧାର କରି ଲିଖିତ ଏହି କୃତି ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ଡ଼. ସୁଜାତା ଚୌଧୁରୀଙ୍କ ମୂଳ ଉପନ୍ୟାସର ଓଡ଼ିଆ ଅନୁବାଦ ଅଟେ।
ପ୍ରଭୁ ଶ୍ରୀଚୈତନ୍ୟଦେବଙ୍କ ବାଲ୍ୟଲୀଳା ଓ ଜୀବନଯାତ୍ରାକୁ କେନ୍ଦ୍ର କରି ରଚିତ ଏହି ଉପନ୍ୟାସ ସାହିତ୍ୟ ପ୍ରେମ ଓ ଆଧ୍ୟାତ୍ମିକ ଚେତନାର ଏକ ଅଦ୍ଭୁତ ସମନ୍ୱୟ ପ୍ରଦର୍ଶନ କରେ। ଉନ୍ମୋଚନ ପୂର୍ବରୁ ଶ୍ରୀମତୀ ସିଂ ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଅଲୋଚନା କରିଥିଲେ ଏବଂ ପରେ ଉପସ୍ଥିତ ଅତିଥିମାନଙ୍କ କରକମଳରେ ପୁସ୍ତକଟିକୁ ଲୋକାର୍ପିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ତାପସରାଜ୍ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାନ୍ତ କୁମାର ନାଥ ଏହାକୁ ସଫଳ ଭାବେ ସଂଚାଳନ କରିଥିଲେ। ଉପସ୍ଥିତ ଅତିଥିମାନେ ପୁସ୍ତକର ସାହିତ୍ୟିକ ମୂଲ୍ୟ ଓ ଆଧ୍ୟାତ୍ମିକ ପ୍ରସଙ୍ଗକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ପ୍ରତିମା ଦାସ, ସାଵିତ୍ରୀ ସେଠି, ସ୍ନେହଲତା ଗୋସ୍ୱାମୀ, ସଞ୍ଜୟ ଦାସ, ଦୁର୍ଗେଶ ନନ୍ଦିନୀ, ବିଶ୍ୱଭାରତୀ ଗୋସ୍ୱାମୀ, ଯାଜ୍ଞସେନୀ ପଣ୍ଡା, ତାପସରାଜ୍ ମହାରଣା, ପ୍ରଶାନ୍ତ କୁମାର ନାଥ, ବିଶ୍ୱରଞ୍ଜନ ଗୋସ୍ୱାମୀ, ବିଶ୍ୱଜିତ ଦାସ, ଜୟଚନ୍ଦ୍ର ମୁନୀ, ସ୍ୱପ୍ନା କୁମାର, ଦେବୀଦତ୍ତଙ୍କ ସମେତ ବାଙ୍ଗାଲୋରରେ ବସବାସ କରୁଥିବା ଅନେକ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ।
ଶେଷରେ ସମସ୍ତ ସାହିତ୍ୟପ୍ରେମୀମାନେ ପୁସ୍ତକଟିର ବ୍ୟାପକ ପାଠକୀୟ ସ୍ୱୀକୃତି କାମନା କରିଥିବା ସହ ଶ୍ରୀମତୀ ଅନୁରୂପା ସିଂଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସାହିତ୍ୟ ପ୍ରେମର ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା।