Odisha news

ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର-ତା.୨୦.୦୩.୨୦୨୬ : ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ୨୬ ତାରିଖରେ ରଥଯାତ୍ରା ଓ ୩୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଦିନ ଭୋର ୪ ଘଟିକାରୁ ସାଢେ ଚାରି ଘଟିକା ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ଓ ଅବକାଶ, ପରେ ପରେ ୫ ଘଟିକା ପର୍ଯ୍ୟନ୍ତ ସାହଣମେଲା ଦର୍ଶନ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ସେହିଭଳି ମଧ୍ୟାହ୍ନ ୧୦.୧୫ ଘଟିକାରୁ ୧୦.୪୫ ଘଟିକା ପର୍ଯ୍ୟନ୍ତ ଯାତ୍ରା ପୂଜା ଶେଷ ପରେ ଶ୍ରୀ ଜିଉଙ୍କ ପହଣ୍ଡି, ରଥରେ ପୂଜା, ଘୋଡା ଯୋଚା ଓ ଚାରମାଳ ଖୋଲା ପରେ ଅପରାହ୍ନ ସାଢେ ୨ ଘଟିକା ସମୟରେ ରଥଟଣା ହେବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି । ଅନୁରୂପ ଭାବେ ବାହୁଡା଼ ଯାତ୍ରା ଦିନ ଅପରାହ୍ନ ସାଢେ ୨ ଘଟିକା ସମୟରେ ମଧ୍ୟ ରଥଟଣା ଆରମ୍ଭ ହେବ।

ଉକ୍ତ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି । ଅସ୍ଥାୟୀ ଭୋଗପିଣ୍ଡି, ସଫେଇ, ଆଲୋକୀକରଣ, ମନ୍ଦିରକୁ ଫୁଲରେ ସଜେଇବା, ପାନୀୟ ଜଳ ବୋତଲ ବ୍ୟବସ୍ଥା କରିବାକୁ ଭୁବନେଶ୍ୱର ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ପାନୀୟ ଜଳ ଯୋଗାଣ, ରାସ୍ତା ଧୌତ, ରଥ ଆଗରେ ଓ ପଛରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିର୍ବାପନ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତା ମରାମତି, ଶାନ୍ତି ଶୃଙ୍ଖଳା ରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଅଶୋକାଷ୍ଟମୀ ରଥଯାତ୍ରା ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଲିଙ୍ଗରାଜ ମନ୍ଦିର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ଭରିମାଲ୍ଲ, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply