ମୁଖ୍ୟ ଶାସନ ସଚିବଙ୍କ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମୀକ୍ଷା : ପ୍ରସ୍ତୁତି ସୁଦୃଢ କରିବା ସହ ସବୁବେଳେ ସଜାଗ ରହିବାକୁ ପରାମର୍ଶ
ଭୁବନେଶ୍ୱର, ୧୭.୦୩. ୨୦୨୬ : ଗତକାଲି ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହାସପାତାଲରେ ଘଟିଥିବା ଅଗ୍ନି ଦୁର୍ଘଟଣା ପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ ଓ ଜିଲ୍ଲାରେ ଥିବା ବିଭିନ୍ନ ଡାକ୍ତରଖାନା ଓ ସରକାରୀ କାର୍ୟ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଏହାକୁ ଅଧିକ ସୁଦୃଢ଼ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ଡା. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।
ବୈଠକରେ ଆଲୋଚନା ଅନୁସାରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ଗୁଡିକରେ ଅଗ୍ନି ନିରାପତ୍ତା ସୂଚନା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କୁ ନୋଡାଲ ଅଧିକାରୀଭାବେ ନିୟୋଜିତ କରାଯାଇଛି । ଅଗ୍ନିଶମ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯିବା ସହ ଅଗ୍ନିନିର୍ବାପକ ଉପକରଣ ଗୁଡିକ ସୁଇଚ୍ ଅଫ୍ ନକରି କାର୍ୟ୍ୟକ୍ଷମ ସ୍ଥିତିରେ ରଖାଯିବାକୁ ପରାମର୍ଶ ଦିଆଯାଇଥିଲା । ନିୟମିତ ଭାବରେ ଉପକରଣଗୁଡିକୁ ଯାଂଚ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ୍ କରାଯିବା ନେଇ ପରାମର୍ଶ ଦିଆଯାଇଛି । ଜିଲ୍ଲାସ୍ତରରେ ଅଗ୍ନି ନିରାପତ୍ତା ସଂପର୍କିତ ମକଡ୍ରିଲ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପ କାର୍ୟ୍ୟ କରିବାକୁ ଯେପରି ଆମେ ଗୁରୁତ୍ୱ ଦେଉଛୁ, ସେହିଭଳି ଅଗ୍ନି ନିରାପତ୍ତାକୁ ମଧ୍ୟ ସର୍ବାଧିତ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଜୀବନ ରକ୍ଷା ସବୁଠାରୁ ମୂଲ୍ୟବାନ । ଏହାକୁ ଗୁରୁତ୍ୱ ଦେଇ ସଂପୃକ୍ତ ସମସ୍ତ ବିଭାଗ, ଅଗ୍ନିଶମ ସେବା ଓ ଜିଲ୍ଲାପାଳମାନେ ସର୍ବଦା ପ୍ରସ୍ତୁତିକୁ ଅଗ୍ରାଧିକାର ଦେବା ଓ ସମ୍ଭାବ୍ୟ ବିପର୍ୟ୍ୟୟ ପ୍ରତି ସବୁବେଳେ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।