ଭୁବନେଶ୍ୱର(Suvendra Pattanaik) : ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ ଅଦାଲତ ପରିସରରେ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗି, ବେଗୁନିଆ ଓ ଜଟଣୀ ଠାରେ ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୮୮ ହଜାର ୬୯୪ଟି ମାମଲା ଆଗତ କରାଯାଇ ସେଥିମଧ୍ୟରୁ ୫୦ ହଜାର ୯୬୨ଟି ମାମଲା ଫଇସଲା କରାଯାଇଥିଲା । ଏହି ମାମଲା ଗୁଡିକର ଫଇସଲା କରାଯାଇ ମୋଟ ୧୮ କୋଟି ୫୫ ଲକ୍ଷ ୫୬ହଜାର ୧୪୯ ଟଙ୍କାର ରାଜସ୍ୱ,ଜରିମାନା ଏବଂ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ମୋଟ ୫ ହଜାର ୩୨୩ଟି ଦେୱାନି ଓ ଫୌଜଦାରୀ ମାମଲା ଫଇସଲା ହୋଇଥିବା ବେଳେ ୪୫ ହଜାର ୨୪୫ଟି ରାଜସ୍ବ ମାମଲା, ୩୯୪ଟି ପ୍ରାକ ମୋକଦ୍ଦମା ଫଇସଲା କରାଯାଇଥିଲା ।
ଉକ୍ତ ଲୋକ ଅଦାଲତରେ ଫୌଜଦାରୀ ସାଲିସ୍ଯୋଗ୍ୟ ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ରିକଭରି, ମୋଟର ଯାନ ଦୁର୍ଘଟଣା, ଶ୍ରମ,ଟ୍ରାଫିକ ଚାଲାଣ ମାମଲା,ବିଭିନ୍ନ ଜନଉପଯୋଗୀ ମାମଲା, ବୈବାହିକ, ଜମି ଅଧିଗ୍ରହଣ, ରାଜସ୍ୱ ଏବଂ ଦେୱାନି ମାମଲା ସହ ବ୍ୟାଙ୍କ ଋଣ ଅନାଦେୟ, ଟେଲିଫୋନ୍, ବିଦ୍ୟୁତ ବିଲ୍ ଏବଂ ପ୍ରାକ୍ ମୋକଦ୍ଦମାମାନ ଫଇସଲା କରାଯାଇଥିଲା ।
ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି ଉକ୍ତ ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ରାଜସ୍ୱ, ଆଞ୍ଚଳିକ ବ୍ୟାଙ୍କ ମ୍ୟାନେଜର, ଟେଲିକମ୍ ଓ ବୀମା ଅଧିକାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଉକ୍ତ ଲୋକ ଅଦାଲତରେ ଅଂଶଗ୍ରହଣ କରିଥିବା ସମସ୍ତ ଆଇନଜୀବୀମାନଙ୍କୁ ସାଧୁବାଦ ଦେବା ସହ ଆସନ୍ତା ମଇ ୯ ତାରିଖରେ ପରବର୍ତ୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ଆଗୁଆ ପ୍ରସ୍ତୁତି ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସଲୋମୀ ସାହୁ ଉପସ୍ଥିତ ରହି କୋର୍ଟ କର୍ମଚାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ସେମାନଙ୍କର ବହୁମୂଲ୍ୟ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।