Odisha news

ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ଆନ୍ଧ୍ରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ

0

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୬: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ, ଆନ୍ଧ୍ରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ରାଜ୍ୟର ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ବିକାଶମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତିର ଆକଳନ କରାଯାଇଥିଲା।

ଏହି ବୈଠକରେ ପୂର୍ବତଟ ରେଳପଥ, ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଏବଂ ଦକ୍ଷିଣତଟ ରେଳପଥର ମହାପ୍ରବନ୍ଧକମାନଙ୍କ ସହିତ ଭାରତୀୟ ରେଳବାଇ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ, ଯେଉଁଥିରେ ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ଆର୍ଥିକ ଅଭିବୃଦ୍ଧି, ଯାତ୍ରୀ ସୁବିଧା ଏବଂ ପଣ୍ୟ ପରିବହନକୁ ସମର୍ଥନ କରିବା ପାଇଁ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଲାଇନ କ୍ଷମତା ବୃଦ୍ଧି କରିବା ଏବଂ ସଂଯୋଗୀକରଣରେ  ଉନ୍ନତ କରିବା ଉପରେ ଆଲୋଚନା କରାଯାଇଥିଲା।

ଉକ୍ତ ବୈଠକ ସମୟରେ ପୂର୍ବତଟ ରେଳପଥ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମୀକ୍ଷା କରାଯାଇଥିଲା। ଏଥିରେ କୋଟ୍ଟାଭାଲସା-କୋରାପୁଟ ରେଳ ଲାଇନର ଦୋହରୀକରଣ, କୋଟ୍ଟାଭାଲସା ଏବଂ ବିଜୟନଗରମ ମଧ୍ୟରେ ଚତୁର୍ଥ ଲାଇନ ଏବଂ ବ୍ୟସ୍ତବହୁଳ ହାଓଡା-ଚେନ୍ନାଇ ମୁଖ୍ୟ ଲାଇନ ସହିତ ବିଜୟନଗରମ ଏବଂ ନୌପଡା ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନର ମଧ୍ୟ ସମୀକ୍ଷା କରାଯାଇଥିଲା। ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ବିଜୟନଗରମ–ଟିଟିଲାଗଡ଼ ତୃତୀୟ ଲାଇନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହା ସହିତ, ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା ଏବଂ ଆଧୁନିକ ଷ୍ଟେସନ ଭିତ୍ତିଭୂମି ଯୋଗାଇବା ପାଇଁ କରାଯାଉଥିବା ବିଶାଖାପାଟଣା ରେଳ ଷ୍ଟେସନର ପ୍ରମୁଖ ଉନ୍ନତିକରଣ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା।

ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବା ଲାଗି ରାଜ୍ୟ ସରକାର ଏବଂ ଭାରତୀୟ ରେଳବାଇ ମଧ୍ୟରେ ଘନିଷ୍ଠ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକ ବୈଧାନିକ ମଞ୍ଜୁରି ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ରାଜସ୍ୱ ଓ ଜଙ୍ଗଲ ସମେତ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ପରାମର୍ଶ ଦେଇଥିଲେ। ସେ ଭୂମି ଅଧିଗ୍ରହଣ, ମଞ୍ଜୁରି ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ସମ୍ବନ୍ଧୀୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସମର୍ଥନ ପାଇଁ ମଧ୍ୟ ସେ ପ୍ରତିଶୃତି ଦେଇଥିଲେ।

Leave A Reply