୧୮ତମ ଢେଙ୍କାନାଳ ଜିଲ୍ଲା ମହୋତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା , ଶିକ୍ଷା କେବଳ ବହି ଭିତରେ ସୀମିତ ନୁହେଁ, ସଂସ୍କୃତି ଓ ପରମ୍ପରା ଜାଣିବା ମଧ୍ୟ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ – ଧର୍ମେନ୍ଦ୍ର ପ୍ରଧାନ
• ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ, ମୂଷା ମଲ୍ଲିକ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ବ୍ରଜନାଥ ବଡ଼ଜେନା ଢେଙ୍କାନାଳକୁ ଗୌରବାନ୍ୱିତ କରିଛନ୍ତି
• ‘ଢେଙ୍କାନାଳ ଜିଲ୍ଲା ମହୋତ୍ସବ’ ଓଡ଼ିଶାର କଳା, ସଂସ୍କୃତି ଏବଂ ସ୍ଵାଭିମାନର ଏକ ଜ୍ୱଳନ୍ତ ଉଦାହରଣ
• ଜିଲ୍ଲାରେ ୧୨୦ କୋଟି ଟଙ୍କା ବ୍ୟୟରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍’ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବ
• ୧୨୦୦ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ସ୍ୱଚ୍ଛ ପାନୀୟ ଜଳର ସ୍ୱପ୍ନ ପୂରଣ କରିବ
• କାମାକ୍ଷାନଗର ଓ ହିନ୍ଦୋଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇଛି
• ସ୍କୁଲ ଓ ଅଙ୍ଗନବାଡ଼ିର ପିଲାମାନଙ୍କୁ ପୁଷ୍ଟିଯୁକ୍ତ ଫଳ ପ୍ରଦାନ କରି ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୨୦୨୬ରୁ ହିଁ ପ୍ରୟାସ ଆରମ୍ଭ କରିବା
ଢେଙ୍କାନାଳ, ଜାନୁଆରୀ ୨୨ – ଶିକ୍ଷା କେବଳ ବହି ଭିତରେ ସୀମିତ ନୁହେଁ । ଆମର ପରମ୍ପରା, ଲୋକକଳା ଏବଂ ସାଂସ୍କୃତିକ ମୂଲ୍ୟବୋଧ ବିଷୟରେ ଜାଣିବା ମଧ୍ୟ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ୧୮ତମ ଢେଙ୍କାନାଳ ଜିଲ୍ଲା ମହୋତ୍ସବ-୨୦୨୬ ଅବସରରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମହୋତ୍ସବର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଢେଙ୍କାନାଳ କେବଳ ଏକ ଜିଲ୍ଲା ନୁହେଁ, ଏହା ହେଉଛି ବୀରତ୍ୱ ଓ ସଂସ୍କୃତିର ଏକ ପବିତ୍ର ଭୂମି । ଭାରତର ସର୍ବକନିଷ୍ଠ ଶହୀଦ ବୀର ବାଜି ରାଉତ, ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡ଼ଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ, ମୂଷା ମଲ୍ଲିକ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନାଙ୍କ ଭଳି ମହାନ୍ ବ୍ୟକ୍ତିତ୍ୱମାନେ ଏହି ମାଟିକୁ ଗୌରବାନ୍ୱିତ କରିଛନ୍ତି । କପିଳାସର ଶିବଲୋକ ଠାରୁ ଆରମ୍ଭ କରି – ମହିମା ଧର୍ମର ପ୍ରଚାର ପୀଠ ଯୋରନ୍ଦା ଏବଂ ସପ୍ତଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ, ଏହି ମାଟିର ପ୍ରତିଟି ଧୂଳିକଣାରେ ଇତିହାସ ଜୀବନ୍ତ । ସେହି ଜିଲ୍ଲାରେ ଆୟୋଜିତ ଏହି ମହୋତ୍ସବ ଓଡ଼ିଶାର କଳା, ସଂସ୍କୃତି ଏବଂ ସ୍ଵାଭିମାନର ଏକ ଜ୍ୱଳନ୍ତ ଉଦାହରଣ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରର ପ୍ରୟାସରେ ଆଜିର ଢେଙ୍କାନାଳ ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସମଗ୍ର ଦେଶରେ ନୂତନ ପରିଚୟ ସୃଷ୍ଟି କରୁଛି । ଜିଲ୍ଲାର ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ୧୨୦ କୋଟି ଟଙ୍କା ବ୍ୟୟରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍’ ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ୧୨୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କାମାକ୍ଷାନଗର ଓ ହିନ୍ଦୋଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହେବା ସହ ଏକ ‘ବିକଶିତ ଢେଙ୍କାନାଳ’ ଗଠନ ଦିଗରେ ଏହା ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।
ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ‘ମାତୃଭାଷା’ ମାଧ୍ୟମରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି, ଯାହା ଶିଶୁର ବୌଦ୍ଧିକ ବିକାଶରେ ସହାୟକ ହେବ। ଢେଙ୍କାନାଳର ଯୁବସମାଜ କିପରି କେବଳ ଚାକିରି ପଛରେ ନଗୋଡ଼ାଇ ନିଜେ ଜଣେ ଜଣେ ‘ଓ୍ୱେଲଥ୍ କ୍ରିଏଟର’ ବା ଉଦ୍ୟୋଗୀ ହୋଇପାରିବେ, ସେଥିପାଇଁ ସରକାର ଦକ୍ଷତା ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି।
ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶିଶୁମାନଙ୍କ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପୋଷଣ ଅଭିଯାନ’ରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ । ଏକ ‘ବିକଶିତ ଭାରତ’ର ସ୍ୱପ୍ନ ସେତେବେଳେ ସାର୍ଥକ ହେବ, ଯେତେବେଳେ ଆମର ଆଗାମୀ ପିଢ଼ି ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ‘ପୋଷଣ ଅଭିଯାନ’ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପିଲାମାନଙ୍କୁ କେବଳ ପାଠ ପଢ଼ାଇଲେ ହେବନି, ସେମାନଙ୍କୁ ସଠିକ୍ ସମୟରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ କରିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ । ସ୍କୁଲ ଓ ଅଙ୍ଗନବାଡ଼ିର କୋମଳମତି ପିଲାମାନଙ୍କୁ ପୁଷ୍ଟିଯୁକ୍ତ ଫଳ ପ୍ରଦାନ କରି ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୨୦୨୬ରୁ ହିଁ ପ୍ରୟାସ ଆରମ୍ଭ କରିବାକୁ ସେ ଅନୁରୋଧ କରିଛନ୍ତି। ଏକ ସୁସ୍ଥ ଶିଶୁ ହିଁ ଶ୍ରେଷ୍ଠ ଓଡ଼ିଶା ଓ ଶ୍ରେଷ୍ଠ ଭାରତ ଗଠନ କରିପାରିବ ବୋଲି ସେ ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।