ବାରିପଦା : ମାଧ୍ୟମିକ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ସ୍ଥାଣୁତା ପ୍ରତିବାଦରେ ଫେବୃଆରୀ ୭ତାରିଖରୁ ଆରମ୍ଭ ହୋଇଥିବା ଅହର୍ନିଶି ଧାରଣା ଆଜି ୩୨ଦିନ ଅତିକ୍ରମ କରିଥିଲେ ମଧ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିବା ଓଷ୍ଟା ସଂଘ ପକ୍ଷରୁ କୁହାଯାଇଛି । ରାଜଧାନୀର ପିଏମଜି ରାଜମାର୍ଗରେ ଖରାବର୍ଷାକୁ ଖାତିର ନକରି ଧାରଣାସ୍ତଳରେ ସରସ୍ୱତୀ ପୂଜା ଠାରୁ ମହାଶିବରାତ୍ରୀ ପର୍ଯ୍ୟନ୍ତ ସମସ୍ତ ପର୍ବପର୍ବାଣୀରେ ଶିକ୍ଷକ-କର୍ମଚାରୀମାନେ ଏଇଠାରେ ପଡି ରହିଛନ୍ତି । ଗତକାଲି ୧୦୮ ସତ୍ୟ ଦୀପାଳୀ ପ୍ରଜ୍ଜଳନ କରି ଶାନ୍ତିପୂର୍ଣ୍ଣ ଉପାୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଦୀର୍ଘ ୩୦ବର୍ଷରୁ ଅଧିକ ଦିନ ଧରି ଓଡିଶାର ନିପଟ ଗ୍ରାମାଞ୍ଚଳମାନଙ୍କରେ ଗୀରବ ଆଦିବାସୀ ପରି ଅନଗ୍ରସର ବର୍ଗର ପିଲାମାନଙ୍କୁ ଶିକ୍ଷାର ଆଲୋକ ଦେବା ପାଇଁ ନିଜେ ଦୀପାଳୀ ହୋଇ ଜଳି ଜଳି ହଜାର ହଜାର ସୁନାଗରିକ ତିଆରି କରି ଚାଲିଥିବା ଏହି ଶିକ୍ଷମମାନଙ୍କୁ ସରକାର ବିଭିନ୍ନ ବର୍ଗରେ ବର୍ଗୀଭୂତ କରି ଠକି ଚାଲିଛନ୍ତି । ୨୦୧୫ରୁ ବନ୍ଦ ଥିବା ଆଜି ସୁଦ୍ଧା ଅନୁଦାନ ଯୋଗ୍ୟ ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ୧୫/୨୦ ବର୍ଷ ବେଠୀ ଖଟି ଏବଂ ପରେ ସ୍ୱଳ୍ପ ଅନୁଦାନ ପାଇ ଅବସର ନେଉଥିବା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ଓ ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଅବସର କାଳୀନ ସୁବିଧା, ଅବସର ବୟସ ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟକୁ ସରକାରୀକରଣ, ୨୮୦୦ ଗ୍ରେଡ୍ ପେ ରେ ଥିବା ଅସଂଗତି ଦୂରୀକରଣ, ୪୮ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ସ୍କେଲ୍ ପ୍ରଦାନ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ୬ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଯୋଗ କରିବା ସହ ୬ଟି ନ୍ୟାସାନଲ ଇନ୍କ୍ରିମେଂଟ ପ୍ରଦାନ ଏବଂ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ପୁରୁଣା ପେନ୍ସନ୍ ପ୍ରଦାନ ପ୍ରଭୃତି ଦାବୀ ପ୍ରତି ସରକାରଙ୍କର ଟାଳଟୁଳ ନୀତି ପ୍ରତିବାଦରେ ଆଗାମୀ ୧୧ ଓ ୧୨ତାରିଖ ଦୁଇଦିନ ଧରି ଭୁବନେଶ୍ୱରର ପିଏମ୍ଜି ରାଜମାର୍ଗରେ ସଂକଳ୍ପ ସମାବେଶର ଆହ୍ୱାନ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବନିମ୍ନ ୧୫୦୦ ଶିକ୍ଷକ କର୍ମଚାରୀ ଏହି ଆନେ୍ଦାଳନରେ ଯୋଗଦେବେ ବୋଲି ଏକ ମିଳିତ ପ୍ରେସ ରିଲିଜ୍ ଜରିଆରେ ସଂଗଠନର ଜିଲ୍ଲା ସଭାପତି ସନ୍ତୋଷ କୁମାର କାସ୍ତ ଓ ମନୋରଞ୍ଜନ ରାଉତ, ଜିଲ୍ଲା ସମ୍ପାଦକ ଚିତରଞ୍ଜନ ପଳତା, ଦୁର୍ଯେ୍ୟାନ ବେହେରା, ରାଜ୍ୟ କାର୍ଯ୍ୟରିଣୀ ସଭ୍ୟ କିଶୋର କୁମାର ଆଚାର୍ଯ୍ୟ, ସୁବଳ ଦାସ ମହାପାତ୍ର, ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ଗୋପୀବଲ୍ଲଭ ଭୂୟାଁ, ଜିଲ୍ଲାର ସମସ୍ତ କାର୍ଯ୍ୟକାରିଣୀ ସଭ୍ୟ, ସମସ୍ତ ବ୍ଲକର ସଭାପତି ଓ ସମ୍ପାଦକ ଆହ୍ୱାନ ଦେଇଥିବା ନେଇ ପ୍ରେସ ବିବୃତ୍ତି ମାଧ୍ୟମରେ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଳତା ସୂଚନା ଦେଇଛନ୍ତି ।