Odisha news

ଶିମିଳିପାଳ କାଇ ପିମ୍ପୁଡି ଚଟଣୀକୁ ଜିଆଇ ଟ୍ୟାଗ

0

ବାରିପଦା : ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି । ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ସ୍ୱରୂପ ସେପ୍ଟେମ୍ବର ୧ତାରିଖ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ଏନେଇ ଅବଗତ କରାଯାଇଥିଲା । ୩ମାସ ମଧ୍ୟରେ ମାନ୍ୟତା ପ୍ରଦାନ ବିରୋଧରେ ଆପତ୍ତି ଅଭିଯୋଗ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ଅଭିଯୋଗ ନଥିବାରୁ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ମିଳିସାରିଛି । କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ୱେବସାଇଟରେ ପ୍ରମାଣପତ୍ର ନମ୍ବର ୫୩୬ ଓ ଅନ୍ୟାନ୍ୟ ବୈଧତା ପ୍ରଦର୍ଶିତ ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ବାକି ଅଛି । ଖବର ଜଣାପଡିବା ପରେ ମୟୂରଭଞ୍ଜ କାଇ ସମାଜ ଓ ମୟୂରଭଞ୍ଜ ଜିଲ୍ଲାବାସୀ ପକ୍ଷରୁ ଖୁସିର ଲହରୀ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲାର ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ସହିତ ତେନ୍ତୁଳି, ଧାନୁଆ ଲଙ୍କା, ଗୁଲମରିଚ ଓ ଅନ୍ୟ ସାମଗ୍ରୀ ସହିତ ଶିଳରେ ବାଟି ପ୍ରସ୍ତୁତ ଚଟଣି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ପ୍ରଚଳିତ । ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ ଏନେଇ ଯୁକ୍ତି ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡ଼ାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରିଥିଲେ । ଯନ୍ତ୍ରୀ ଜଣଙ୍କ ଉଚ୍ଚନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ନେଇ ଗବେଷଣା କରା ନଯିବା ପ୍ରତିବାଦରେ ପୃଥକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର ମଧ୍ୟ କରିଥିଲେ । ପରେ ତାଙ୍କ ଉଦ୍ୟମରେ ଗଠିତ ବାରିପଦା ପୌରପାଳିକା ୧୧ନଂ ୱାର୍ଡ ଢିପାସାହିର ମୟୂରଭଞ୍ଜ କାଇ ସମାଜ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ୨୦୨୦ ଡିସେମ୍ବର ୭ତାରିଖରେ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ପାଇଁ ଜିଆଇ ଆବେଦନ ନଂ ୭୨୫ ଦ୍ୱାରା ଆବେଦନ କରାଯାଇଥିଲା । ଏନେଇ ୨୦୨୨ ଡିସେମ୍ବର ୬ତାରିଖରେ ଭୁବନେଶ୍ୱର କୃଷି ବୈଷୟିକ ବିଶ୍ୱବଦ୍ୟାଳୟ(ଓୟୁଏଟି)ରେ ପରାମର୍ଶ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଆବେଦନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସହିତ କାଇ ସମାଜର କର୍ମକର୍ତ୍ତା ଯୋଗଦେଇ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କାଇ ଚଟଣିର ଗବେଷଣା ସମ୍ଭାବନା ଅଧିକ ରହିଛି । ଏହାର ଔଷଧୀୟ ଗୁଣକୁ ଜୀବନ ରକ୍ଷାକାରୀ ଭାବେ ମାନବ ସମାଜ ପାଇଁ ବ୍ୟବହାର ହୋଇପାରିବ ବୋଲି କାଇ ସମାଜର ମୁଖ୍ୟ ଇଂ ନୟାଧର ପଢିଆଳ କହିଛନ୍ତି । ଯନ୍ତ୍ରୀ ପଢିଆଳଙ୍କ ସହିତ କୃଷିବିଜ୍ଞାନ କେନ୍ଦ୍ରର କୃଷି ବୈଜ୍ଞାନିକ ଦୀପକ ମହାନ୍ତି ଓ ଜଗନ୍ନାଥ ପାତ୍ର ଜିଆଇ ଟ୍ୟାଗ ଆବେଦନ ସମୟରେ ସମ୍ମୁଖୀନ ବାଧାବିଘ୍ନ ଓ ଚ୍ୟାଲେଞ୍ଜ ଫଳପ୍ରଦ ପରେ ଖୁସିବ୍ୟକ୍ତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଏହି ପୁରାତନ ଓର୍ଗାନିକ ଔଷଧୀୟ ଖାଦ୍ୟର ପ୍ରସ୍ତୁତି, ବ୍ୟବହାର, ଉପକାରିତା ଓ ବୈଶିଷ୍ଟ୍ୟ ଅନେକ ରହିଛି ।

Leave A Reply