ବାରିପଦ : ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ନଭେମ୍ବର ୩୦ରୁ ଆରମ୍ଭ ହୋଇ କ୍ରମାଗତ ଭାବେ ଚାଲିଥିବା ନୂଆ-ଓ ଅନ୍ତର୍ଗତ ନବୀନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଉଦ୍ୟାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ସମାରୋହରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଏସଡିସି ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି ଯୋଗଦେଇ ନିଜର ପ୍ରେରଣା ଦାୟୀ ଅଭିଭାଷଣ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଏମପିସି ଆଲୁମିନି ଅସୋସିଏସନର ସଭାପତି ବିଜୟ କୁମାର ଅଗ୍ରୱାଲ ଯୋଗଦେଇ ନୂଆ-ଓ କାର୍ଯ୍ୟକ୍ରମର ସଫଳ ରୂପାୟନରେ କଲେଜ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଉଦ୍ୟାପନୀ ସମାରୋହରେ ନୂଆ-ଓ ଜିଲ୍ଲା ନୋଡାଲ ଅଧିକାରୀ ଡଃ କୈଳାସ ମିଶ୍ର, କଲେଜ ନୋଡାଲ ଅଧିକାରୀ ଡଃ ପ୍ରମୋଦ ଚନ୍ଦ୍ର ସାହୁ, କ୍ରୀଡା କମିଟି ଆବାହକ ଡଃ ଦୀପକ ବେହେରା, ସାଂସ୍କୃତିକ କମିଟି ଆବାହକ ରବିନ୍ଦ୍ର ବେହେରା, ପ୍ରଚାର କମିଟି ଅଧ୍ୟକ୍ଷ ଡଃ ଆଲବେଣ୍ଟିନା ତୀର୍କି, ସାମାଜିକ ସେବା କମିଟି ଆବାହକ ପ୍ରିୟବ୍ରତ ବେହେରା ନିଜ କାର୍ଯ୍ୟକ୍ରମର ବିବରଣି ରଖିଥିଲେ । ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଏମ୍ପିସି ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିବା କଲେଜ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡଃ ଆଶୁତୋଷ ପ୍ରୟାସ ଦାଶଙ୍କ ସଂଯୋଜନାରେ ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଅଧ୍ୟାପିକା ରୀନା ମୁର୍ମୁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ସଭାପରେ ମଞ୍ଚରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।