ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣାଙ୍କ ତତ୍ତ୍ୱାବଧାନରେ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶିବିରକୁ ଆସୁଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ୍ ୨୧୪ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବାବେଳେ ୧୮୯ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୨୫ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୂହିକ ଅଭିଯୋଗ ଥିଲା । ଗ୍ରହଣ ହୋଇଥିବା ଆପତ୍ତି ଅଭିଯୋଗ ମଧ୍ୟରୁ ୨୦ଟି ଅଭିଯୋଗର ତକôାଳ ସମାଧାନ କରାଯାଇଥିଲା ଏବଂ ସହାୟତା ରାଶି ପ୍ରଦାନ ପାଇଁ ଆସିଥିବା ଅଭିଯୋଗର ଗୁରୁତ୍ୱ ଓ ପରିସ୍ଥିତିକୁ ବିଚାର କରି ୨ଜଣ ବ୍ୟକ୍ତିଙ୍କୁ ପ୍ରତ୍ୟେକ ୧୦ହଜାର ଟଙ୍କା ଲେଖାଏଁ ଓ ଅନ୍ୟ ଏକ ବ୍ୟକ୍ତିଙ୍କୁ ୫ହଜାର ଟଙ୍କା ମୋଟ୍ ୨୫ହଜାର ଟଙ୍କା ରେଡକ୍ରସ ସହାୟତା ପାଣ୍ଠିରୁ ଜିଲ୍ଲାପାଳ ମଂଜୁର କରିଛନ୍ତି । ସେହିପରି ମୁଖ୍ୟ ମନ୍ତ୍ରୀ ସହାୟତା ପାଣ୍ଠିରୁ ୩ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ,୯ ଜଣଙ୍କ ୫ହଜାର ଟଙ୍କା ଲେଖାଏଁ ଓ ଅନ୍ୟ ଏକ ବ୍ୟକ୍ତିଙ୍କୁ ୨ହଜାର ଟଙ୍କାର ଏହିପରି ୧୩ଜଣଙ୍କୁ ମୋଟ୍ ୭୭ହଜାର ଟଙ୍କାର ସହାୟତା ରାଶି ଜିଲ୍ଲାପାଳ ମଂଜୁର କରିଛନ୍ତି । ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ ଶିବିରରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀ କାନ୍ତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ରୁପଭାନୁ ମିଶ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅଧିନସ୍ଥ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
