ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକରେ ବେଆଇନ୍ ଋଣ ଆଦାୟ ଜୁଲମ୍ର ପ୍ରତିବାଦ ଓ କରୋନାରେ ପ୍ରପିଡିତ ଋଣ ଗ୍ରହୀଣଙ୍କ ସମ୍ପୂର୍ଣ୍ଣ ଋଣଛାଡ ଦାବିରେ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାଇକ୍ରୋ ଫାଇନାନ୍ସ ଋଣ ଗ୍ରହୀଣ ମଞ୍ଚ ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଜାତୀୟକରଣ ବ୍ୟାଙ୍କମାନଙ୍କରେ ଅଣକ୍ଷୁଦ୍ର ବ୍ୟବସାୟ, ହସ୍ତଶିଳ୍ପ, କୁଟୀର ଶିଳ୍ପ, କୃଷି, ଖାଦ୍ୟ ସାମଗ୍ରୀ ପ୍ରକ୍ରିୟାକରଣ ପାଇଁ ଆର୍ଥୀକ ଦୁର୍ବଳ ଲୋକଙ୍କୁ ଋଣ ଦେଉ ନାହାଁନ୍ତି । ତାହାର ସୁଯୋଗ ନେଇ ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନେ ଅତ୍ୟନ୍ତ ଉଚ୍ଚ ସୁଧହାରରେ ଏହି ଋଣ ଦେଣ-ନେଣ କରୁଛନ୍ତି ।
କରୋନା ମହାମାରୀ ଯୋଗୁଁ ଲକ୍ଡାଉନ୍ରେ ପ୍ରତ୍ୟେକ ମଣିଷ ଗୃହବନ୍ଦୀ ହୋଇ ରହିବା ଫଳରେ ଜନଗଣଙ୍କ ଜୀବନ ଧାରଣ ଦୁର୍ବିସହ କରାଇଥିବାବେଳେ ଏହି ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନେ ଋଣୀଙ୍କ ଉପରେ ଋଣ ଆଦାୟର ଜୁଲମ କରୁଛନ୍ତି ବୋଲି ଦାବି କରାଯାଇଛି । ରାଜ୍ୟସରକାରଙ୍କ ଚିଟ୍ଫଣ୍ଡ ଆଇନ୍ରେ କୌଣସି ସଂସ୍ଥା ସରକାରଙ୍କ ବିନା ଅନୁମତିରେ କୌଣସି ଆର୍ଥୀକ ଆଦାନ ପ୍ରଦାନ କରିପାରିବେ ନାହିଁ, କୌଣସି ସଂସ୍ଥା କୌଣସି ଅଞ୍ଚଳରେ ଅର୍ଥ ଆଦାନ ପ୍ରଦାନ କରିବା ପୂର୍ବରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ଅର୍ଥ ଆଦାନ ପ୍ରଦାନ କରିପାରିବେ ନାହିଁ । ଏହାର ବ୍ୟତିକ୍ରମରେ ସମ୍ପୃକ୍ତ ସଂସ୍ଥାକୁ ଜିଲ୍ଲାପାଳ ବନ୍ଦ କରିବାର ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଧେୟ ଥିଲେବି ତାହା କରାଯାଉ ନାହିଁ ।
ତେଣୁ ଉକ୍ତ ସମସ୍ୟାର ପ୍ରତିବାଦ କରି ଅନୁଷ୍ଠିତ ବିକ୍ଷୋଭରେ କବିତା ମହାନ୍ତ ସଭାପତିତ୍ୱ କରିଥିବାବେଳେ ମଞ୍ଚର ଜିଲ୍ଲା ଆବାହକ ପରମେଶ୍ୱର ମହାନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପରେ ଏହି ଆନେ୍ଦାଳନକୁ ସମର୍ଥନ କରି ସିପିଆଇର ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ ମିଶ୍ର ଓ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ବକ୍ତବ୍ୟ ରଖି କୋଭିଡ୍-୧୯ ସମୟରେ ବଡବଡ କମ୍ପାନୀମାନଙ୍କ ଋଣ ଛାଡ ସରକାର କରୁଥିବାବେଳେ, ଜାତୀୟ କରଣ ବ୍ୟାଙ୍କ ଠାରୁ ଅଧିକ ସୁଧ ହାରରେ ଋଣ ଗ୍ରହୀଣଙ୍କ ଠାରୁ ଜୋରଜବରଦସ୍ତ ଋଣ ଆଦାୟକୁ ଦୃଢ ନିନ୍ଦା କରିବା ସହିତ ତୁରନ୍ତ ଋଣ ଗ୍ରହୀଣଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରିବା ପାଇଁ ଦୃଢ ଦାବି କରିଥିଲେ । ଏହି ପ୍ରତିବାଦ ସମାବେଶରେ ମଞ୍ଚର ନେତ୍ରୀ ରଞ୍ଜୁଲତା ମଣ୍ଡଳ, ରଞ୍ଜିତା ତେଲେଙ୍ଗା, ସୁନିତା ପାତ୍ର, କବିତା ବିନ୍ଧାଣୀ, ଲିତିକା ପାତ୍ର, ଗୀତା ମୁଣ୍ଡା, ସିପିଆଇ ନେତା ତି୍ରନାଥ ପାତ୍ର, ବଳରାମ ମହାନ୍ତ, ରଥ ସିଂ, ବଳରାମ ମୁର୍ମୁ ଓ ଶ୍ରୀକାନ୍ତ ସାମଲ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଏକ ୪ଜଣିଆ ପ୍ରତିନିଧିଦଳ ମୁଖ୍ୟଶାସନ ସଚିବ ରାଜ୍ୟସରକାରଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।