ରୀତୟନୀ ଆଇଟିଆଇର ଆଦିବାସୀ ଛାତ୍ରଙ୍କୁ ମାଡ ମାରିବା ଭିଡିଓ ଭାଇରାଲ୍, ଛାତ୍ର ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ
ବାରିପଦା : ପରୀକ୍ଷା ଆଗରୁ ହାତରେ ଭୁଲ୍ ଆଡମିଟ୍ କାର୍ଡ ଥମାଇ ଦେଲେ କଲେଜ କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଛାତ୍ରଙ୍କ ଉପରେ ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନଭାଇ ଦିବ୍ୟଲୋଚନ ବାରିକ । ଏପରିକି ଅଭିଯୋଗ କରିବାକୁ ଯାଇଥିବା ଛାତ୍ରମାନଙ୍କୁ ନିର୍ଧୂମ ପିଟିଲେ । ଏନେଇ ଛାତ୍ରମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାରୁ କୁଳିଅଣା ପୋଲିସ ପି୍ରନ୍ସିପାଲ ତି୍ରଲୋଚନ ବାରିକ ଓ ପ୍ରଫେସର ସତ୍ୟବାନ ଗିରିଙ୍କୁ ଗିରଫ କରାଯାଇଛି । ହେଲେ ପ୍ରିନ୍ସିପାଲଙ୍କ ସାନଭାଇଙ୍କ ଫେରାର ହୋଇଯାଇଛନ୍ତି ।
ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ରୀତୟନୀ ଆଇଟିଆଇ କଲେଜରେ ଘଟିଥିବାବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କୁଳିଅଣା ଥାନା ଅନ୍ତର୍ଗତ ରୀତୟନୀ ଆଇଟିଆଇ କଲେଜର ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ୍ ଟ୍ରେଡ୍ ପିଲା ଫିଟର ଟ୍ରେଡ ଆଡ୍ମିଟ୍ କାର୍ଡ ପାଇଥିଲେ । ସେହିପରି ଫିଟର ଟ୍ରେଡ୍ ଛାତ୍ରଙ୍କୁ ଇଲେକ୍ସିସିଆନ୍ ଆଡ୍ମିଟି କାର୍ଡ ଦିଆଯାଇଥିଲା । ଏନେଇ ଛାତ୍ରମାନେ କଲେଜ ପ୍ରିନ୍ସିପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ କରିବା ବଦଳରେ ସେମାନଙ୍କୁ ଭୁଲ୍ ଆଡମିଟ୍ କାର୍ଡରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା । ଉତ୍ତ୍ୟକ୍ତ ଛାତ୍ର ଏଥିରେ ରାଜି ନହୋଇ କଲେଜ ଗେଟ୍ ବନ୍ଦ କରି ଆନେ୍ଦାଳନ କରିଥିଲେ । ଏହି ଘଟଣାକୁ ନେଇ ପ୍ରିନ୍ସିପାଲଙ୍କ ସାନଭାଇ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ, ଏତିକିରେ ତାଙ୍କ ରାଗ ଥମିନଥିଲା । ଶେଷରେ ଛାତ୍ରମାନଙ୍କୁ ହଷ୍ଟେଲରୁ ଟିସି ଦେଇ ବଳପୂର୍ବକ ବିଦା କରିଦେଇଥିଲେ ।
ପ୍ରିନ୍ସିପାଲଙ୍କ ସାନଭାଇ କଲେଜର କର୍ମଚାରୀ ହୋଇନଥିବାବେଳେ ସେ କିନ୍ତୁ ଅଧିକାଂଶ ସମୟରେ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରମାନେ । ଏଥିରେ ଅତିଷ୍ଠ ଛାତ୍ରମାନେ ରାତି ୩ଟାରେ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରି ପି୍ରନ୍ସିପାଲ ଓ ତାଙ୍କ ସାନଭାଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ କୁଳିଅଣା ଥାନା ପୋଲିସ ପକ୍ଷରୁ ତତ୍ପରତା ଦେଖାଇବା ସହ ୧୧୩/୨୨ରେ ଏକ ମାମଲା ରୁଜୁ କରାଯିବା ସହ ରୀତୟନୀ ଆଇଟିଆଇ ଅନୁଷ୍ଠାନର ପ୍ରିନ୍ସିପାଲ ତି୍ରଲୋଚନ ବାରିକ ଏବଂ ଅଧ୍ୟାପକ ସତ୍ୟବାନ୍ ଗିରିଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ସାନଭାଇ ଦିବ୍ୟଲୋଚନ୍ ବାରିକ୍ ଫେରାର ଥିବା ଜଣାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ଓ ଅନ୍ୟ ଆଦିବାସୀ ସଂଗଠନ ପକ୍ଷରୁ ଛାତ୍ର ମାନଙ୍କୁ ମାଡ ମାରିଥିବା ଦୋଷୀମାନଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ର ମାନଙ୍କୁ ତୁରନ୍ତ ପରୀକ୍ଷା ଦେବାର ସୁଯୋଗ ଦିଆଯିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଚଳିତମାସ ୬ତାରିଖ ସୁଧା ନ୍ୟାୟ ପ୍ରଦାନ କରାନଗଲେ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ମାସାଆର୍ମୀ ସଭାପତି ସୁକୁଲାଲ ମାରାଣ୍ଡି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
