Odisha news

ଐତିହ୍ୟର ସୁରକ୍ଷା ନିମନ୍ତେ ଆଗେଇ ଆସିଲେ ଯୁବଗୋଷ୍ଠୀ 

0

ବାରିପଦା : ପୂର୍ବର ଗଡଜାତ ରାଜ୍ୟ ତଥା ବର୍ତ୍ତମାନର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର ଇତିହାସ ଓ ଐତିହ୍ୟ ଯୁବପୀଢିଙ୍କ ନିମନ୍ତେ ପ୍ରେରଣାର ସ୍ରୋତ ହୋଇରହିଛି । ଏହି ଐତିହ୍ୟରୁ ଅନେକ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହୋଇ ପଡିଛି । ଅନେକ ସମୟରେ ବହୁ ସ୍ୱତନ୍ତ୍ର ଦିବସ ପାଳନରେ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ଜିଲ୍ଲାର ବହୁ କୀର୍ତ୍ତିରାଜି ଅଲୋଡା ହୋଇ ପଡିରହିବା ବେଶ୍ ଦୁଃଖଦାୟକ । ଏହିଭଳି ସମୟରେ ଜିଲ୍ଲାର ଐତିହ୍ୟ ଓ ଐତିହାସିକ ସ୍ଥଳଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଏଗୁଡିକର ପ୍ରଚାର ପ୍ରସାର ନିମନ୍ତେ ଆଗେଇ ଆସିଛନ୍ତି ମୟୂରଭଞ୍ଜର ଯୁବପିଢୀ । ମୟୂରଭଞ୍ଜର ଡୁକୁରା ଅଞ୍ଚଳରେ ରହିଥିବା ଐତିହାସିକ ନାଉପାଳ ଲୁହା ପୋଲଟି ଦୀର୍ଘଦିନ ଧରି ଲଟାବୁଦା ଭିତରେ ପଡି ରହିଥିବା ସହ ବିଭିନ୍ନ ଅନାବନା ଗଛ ବଢି ଏହି ଐତିହାସିକ ପୋଲଟିର ସୁରକ୍ଷା ନିମନ୍ତେ ଆହ୍ୱାନ ସୃଷ୍ଟି କରୁଥିଲା ।

ଆଜି ମୟୂରଭଞ୍ଜ ଲଭର୍ସ ଗ୍ରୁପର ସଦସ୍ୟମାନେ ଏହାକୁ ପରିଷ୍କାର କରିବା ସହ, ଲଟାବୁଦା ଓ ଅଦରକାରୀ ଗଛ ଗୁଡିକୁ ସଫା କରିଥିଲେ । ସାମ୍ବାଦିକ ଭବାନୀ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଜୟପ୍ରକାଶ ସିଂହ, ଭୀମସେନ ଦେ, କୁମାରେଶ୍ ନାୟକ, କିଶୋର କୁମାର ମହାନ୍ତି, ନିହାର ରଞ୍ଜନ ନନ୍ଦ, ସୁଶ୍ରୀ ନାୟକ, ରଶ୍ମିତା ପରିଡା, ଶ୍ରୁତି ସ୍ୱପ୍ନା, ସୁମନ ବାରିକ, ରାମଚନ୍ଦ୍ର ସାହୁ, କୈଳାଶ ଗିରି, ସଞ୍ଜୟ ମହାରଣା, ହିମାଂଶୁ ମହାନ୍ତ ଓ ପ୍ରୟାସ ମହାପାତ୍ର ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଜିଲ୍ଲାର ଯୁବବର୍ଗଙ୍କୁ ଏହିଭଳି କାର୍ଯ୍ୟକରିବା ନିମନ୍ତେ ଉତ୍ସାହିତ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ଐତିହ୍ୟ ସ୍ଥଳଗୁଡିକୁ ପହଞ୍ଚିବା ସମ୍ଭବ ହେଉନଥିବାରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଆଗକୁ ଆସି ଏହି କୀର୍ତ୍ତିରାଜି ଗୁଡିକୁ ସୁରକ୍ଷା ପ୍ରଦାନ କରି ଉତ୍ତରପିଢି ନିମନ୍ତେ ଏହାକୁ ସାଇତି ରଖିବାକୁ ଆହ୍ୱାନ ଜଣାଇଛନ୍ତି । ଆଗକୁ ମଧ୍ୟ ଏ ପ୍ରକାର କାର୍ଯ୍ୟକ୍ରମ ଜାରି ରହିବ ବୋଲି ମୟୂରଭଞ୍ଜ ଲଭର୍ସର ସଦସ୍ୟ କୁମାରେଶ୍ ନାୟକ ପ୍ରକାଶ କରିଛନ୍ତି ।

Leave A Reply