ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରତିନିଧିମଣ୍ଡଳ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପର ଉପନିଦେ୍ର୍ଦଶକ ଯଜ୍ଞଦତ୍ତ ପତିଙ୍କୁ ଭେଟି ଶିମିଳିପାଳର ଭବିଷ୍ୟତ ସ୍ଥିତି ସମ୍ବନ୍ଧରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି । ତଥ୍ୟ ଅନୁସାରେ ଶମିଳିପାଳରେ ବାଘ ସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଅବାଧ ଗଛକଟା ଚାଲିଛ, ଯାହାଫଳରେ ଜଙ୍ଗଲ ପଡିଆ ହେବାକୁ ବସିଲାଣି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ବାନ୍ଧି ରଖୁଥିବା ମହେନ୍ଦ୍ର ଓ ରାଜକୁମାର ଶିମିଳିପାଳକୁ ଫେରିବା ଅନିଶ୍ଚିତତା ଗତିରେ ରହିଛି । ଶିମିଳିପାଳ ଅଭୟାରଣ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ସହାୟତା ସଠିକ ଉପଯୋଗ ହେଉନାହିଁ, ଅଧିକାଂଶ ସ୍ଥଳରେ ସେ ଟଙ୍କା ବାଟମାରଣା ହେବାର ନଜିର ଦେଖା ଦେଉଛି । ଯାହାଫଳରେ ଶିମିଳିପାଳର ଗୌରବ ଓ ଗାରିମା ଆଜି ଲୁପ୍ତ ହେବାକୁ ବସିଲାଣି । ପର୍ଯ୍ୟଟକ ଥରେ ଏଠାକୁ ଆସିଲେ ଦ୍ୱିତୀୟବାର ଅନାଉନାହାଁନ୍ତି । ଏଣୁ ଏହି ସବୁ ତଥ୍ୟଭିତ୍ତିକ ବିଷୟ ସହ ତୁରନ୍ତ ଗଛକଟାକୁ ରୋକାଯାଇ ବୃକ୍ଷରୋପଣ ସହିତ ପୂର୍ବରୁ ଥିବା ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଓ ଗୌରବ ଗାରିମାକୁ ଫେରାଇ ଆଣିବା ଦାବୀ ନେଇ ପ୍ରତିନିଧିମଣ୍ଡଳ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଉପନିଦେ୍ର୍ଦଶଙ୍କ ସହ ଆଲୋଚନା କରିଛନ୍ତି । ଏହିଭଳି ଅଯୋଗ୍ୟ ବ୍ୟକ୍ତି ତାଙ୍କ ଚେୟାର ପ୍ରତି ଲୋଭ ହେଉ କିମ୍ବା ଅସମ୍ମାନ କାରଣରୁ ଶିମିଳିପାଳ ଆଜି ତାର ଭବିଷ୍ୟତର ରାହା ଖୋଜୁଛି ବୋଲି ପ୍ରତିନିଧିମଣ୍ଡଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଏଣୁ ଆଗାମୀ ଦିନରେ ଶିମିଳିପାଳର ଭବିଷ୍ୟତ ପାଇଁ ଏବଂ ଅନଭିଜ୍ଞ ଦୂରଦୃଷ୍ଟି ସମ୍ପନ୍ନ ବିହୀନ ଅଧିକାରୀଙ୍କ ପାଇଁ ଜିଲ୍ଲାବାସୀ ବାଧ୍ୟ ହୋଇ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ପ୍ରତିନିଧିମଣ୍ଡଳ ସୂଚନା ଦେଇଛନ୍ତି । ଆଜିର ପ୍ରତିନିଧିମଣ୍ଡଳରେ କଳିଙ୍ଗ କେଶରୀ ଜେନା, ନିମାଇଁ ତ୍ରିପାଠୀ, ରାକେଶ ସିଂ, ପିଣ୍ଟୁ ମାଇତି, ରାକେଶ ବେହେରା, ସାମନ୍ତ ଶେଖର ପାଲ, ଜ୍ୟୋତିରଞ୍ଜନ ପୃଷ୍ଟି, ସୌମ୍ୟରଞ୍ଜନ ମିଶ୍ର, ଋୁଷିରାଜ ପଟ୍ଟନାୟକ ଓ ଏସକେ ରାଜାଖାନ ପ୍ରମୁଖ ଉପସ୍ଥିତ ଥିଲେ ।