Odisha news

ଗର୍ଭସ୍ଥ ଶିଶୁର ମୃତୁ୍ୟକୁ ନେଇ ପିଆରଏମରେ ଉତ୍ତେଜନା, ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ

0

ବାରିପଦା : ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଗର୍ଭସ୍ଥ ଶିଶୁର ଜୀବନ ଚାଲିଗଲା ବୋଲି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ପରିବାର ଲୋକେ, ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ । ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ମହିଳାଙ୍କ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ଅବହେଳାକୁ ଦାୟୀ କରି ପାଟିତୁଣ୍ଡ କରିଥିଲେ । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ମେଡିକାଲ ପରିସରରେ ପୋଲିସ ମୃତୟନ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବାରିପଦା ସଦରଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ବ୍ଲକ ଅଞ୍ଚଳର ବଜ୍ରତୁଣ୍ଡି ଗ୍ରାମର ଚନ୍ଦନ ବେହେରାଙ୍କ ପତ୍ନୀ ସୁରେଖା ବେହେରା ବୁଧବାର ଦିନ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ରାତିରେ ତାଙ୍କର ପ୍ରସବ ବେଦନା ଅଧିକ ହେବାରୁ ତାଙ୍କ ପରିବାର ଲୋକେ କାର୍ଯ୍ୟରୋତ ଥିବା ନର୍ସଙ୍କୁ ଡାକ୍ତରଙ୍କୁ ଡାକିବା ପାଇଁ କହିଥିଲେ । ହେଲେ ନର୍ସମାନେ ତାଙ୍କ କଥା ଶୁଣି ନଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କ ପରିବାର ଲୋକେ ଅସ୍ତ୍ରପ୍ରଚାର ପାଇଁ ନିବେଦନ କରିଥିଲେ, ହେଲେ ସ୍ୱାଭାବିକ ଭାବେ ଡେଲିଭରୀ ହେବବୋଲି କହି ସମୟ ଗଡାଇ ଦେଇଥିଲେ । ତେବେ ମଧ୍ୟରାତ୍ରିରେ ମହିଳା ଜଣକ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ମୃତ ଶିଶୁଙ୍କ ବାପା ଚନ୍ଦନ ବେହେରାଙ୍କ ଅଭିଯୋଗକ୍ରମେ ଡାଃ ସୁଯୋଗ କୁମାର ନାୟକ ଓ ଡାଃ ନନ୍ଦ ଏବଂ ନର୍ସମାନଙ୍କ ବିରୋଧରେ ଅଭିଯୋଗକ୍ରମେ ବାରିପଦା ଟାଉନଥାନାରେ ୫୬/୨୦ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି । ସେହିପରି ଡାଃ ନନ୍ଦଙ୍କ ପାଲଟା ଅଭିଯୋଗ କ୍ରମେ ବାରିପଦା ଟାଉନଥାନାରେ ୫୭/୨୦ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ପରିବାର ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପିଆରଏମରେ ଡାକ୍ତର ଓ ନର୍ସଙ୍କ ଅବହେଳା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିବାରୁ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗର ଉଚ୍ଚପଦସ୍ତ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply