Odisha news

କୁଡୁମୀସେନା ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ପାଳିତ ଓ ୨୧ଫୁଟ ଉଚ୍ଚର ଟୁସୁ ଦେବୀଙ୍କ ପୂଜାଅର୍ଚ୍ଚନା

0

ବାରିପଦା: ପବିତ୍ର ମକର ସଂକ୍ରାନ୍ତି ଅବସରରେ କୁଡୁମୀ ଜାତିର ଲୋକାମାନେ ଟୁସୁ ଦେବୀଙ୍କୁ ପୂଜାଅର୍ଚ୍ଚନା କରିଥାନ୍ତି । ଏହା ଘରେ ଘରେ ହୋଇ ଆସୁଥିବାବେଳେ ଚଳିତବର୍ଷ ଯଶୀପୁର ନିକଟସ୍ଥ ମଣନ୍ଦା ଗ୍ରାମଠାରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ମଣନ୍ଦା ଗ୍ରାମ ଠାରେ ଥିବା ଆଞ୍ଚଳିକ ମକର ମେଳା କମିଟି ବିଗତ ଏକ ବର୍ଷଧରି ମକର ଏବଂ ଟୁସୁ ପର୍ବର ଆୟୋଜନ କରିଆସୁଛି । ତେବେ ଏହି ଅନୁଷ୍ଠାନ ତାର ଶତବାର୍ଷିକ ପାଳନ ଅବସରରେ ଚଳିତବର୍ଷ ସେଠାରେ ୨୧ଫୁଟ ଉଚ୍ଚର ଟୁସୁ ଦେବୀଙ୍କ ମୃର୍ତ୍ତି ନିର୍ମାଣ କରାଯାଇଛି । ଏହି ମୃର୍ତ୍ତି ନିର୍ମାଣ ପାଇଁ ମୟୂରଭଞ୍ଜର ୩ଶହ ଗ୍ରାମରୁ ମାଟି ସଂଗୃହୀତ ହୋଇ ଆସିଛି । ନିଜ ଜାତିର ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଏକତା ବଜାୟ ରଖିବା ଉଦେ୍ଦଶ୍ୟରେ ଏହା କରାଯାଇଛି ବୋଲି କୁଡୁମୀସେନା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ଜଣାଇଛନ୍ତି । ଚଳିତମାସ ୧୬, ୧୭ ଓ ୧୮ ତାରିଖ ତିନିଦିନ ଧରି ଏହି ଟୁସୁ ମହାମିଲନ ପର୍ବ ମଣନ୍ଦାଠାରେ ଅନୁଷ୍ଠିତ ହେବ ଏବଂ ଏଥିରେ ମୟୂରଭଞ୍ଜର ଶହଶହ ଗ୍ରାମରୁ କୁଡୁମୀ ଭାଇଭଉଣୀମାନେ ନିଜନିଜର ଟୁସୁ ଦେବୀ ମୃର୍ତ୍ତି ସେଠାକୁ ନେଇ ଆସିବେ ବୋଲି ଆଞ୍ଚଳିକ ମକର ମିଲନ କମିଟିର ସଭାପତି ଦିବ୍ୟସିଂହ ମହାନ୍ତ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡିଶା ୧୨ଗୋଟି ଜିଲ୍ଲାରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟ ଲୋକଙ୍କ ସମେତ ପଡୋଶୀ ରାଜ୍ୟ ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଆସାମ ବ୍ୟତୀତ ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶରେ ବସବାସ କରୁଥିବା ଜାତିଭାଇମାନେ ସେଠାରେ ଉପସ୍ଥିତ ରହି ଉକ୍ତ ପର୍ବକୁ ପାଳନ କରିବେ ବୋଲି କୁଡୁମୀସେନା ସଭାପତି ଶ୍ରୀ ମହାନ୍ତ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ମଣନ୍ଦା ସ୍ଥିତ ଆଞ୍ଚଳିକ ମକର ମେଳା କମିଟି ଏବଂ କୁଡୁମୀସେନା ଓଡିଶାର ସହଭାଗୀତାରେ ଅନୁଷ୍ଠିତ ହେଉଥିବା ଟୁସୁ ମହାମିଲନ ପର୍ବରେ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ତଥା ଓଡିଶାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଉକ୍ତ ରାଜ୍ୟଗୁଡିକର ବହୁ ମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି ।

Nalco

Leave A Reply