ବାରିପଦା : ଭାରତୀୟ ପ୍ରଶାସନିକ ସେବାରେ ନୂତନ ଭାବେ ଯୋଗ ଦେଇଥିବା ଓଡିଶା କ୍ୟାଡର ଶିକ୍ଷାନବୀଶ, ସୁଶ୍ରୀ ଆଶନୀ ଏ ଏଲ ମୟୂରଭଞ୍ଜ ଜିଲ୍ଲାରେ ନିଜର ପ୍ରଶାସନିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନେ୍ଧଙ୍କ ନିଦେ୍ର୍ଦଶରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟାଳୟର ସମସ୍ତ କାର୍ଯ୍ୟାଳୟରେ ହେବାକୁ ଥିବାବେଳେ ମଙ୍ଗଳବାର ଦିନ ରାଜସ୍ୱ କାର୍ଯ୍ୟାଳୟ ଏବଂ ବୁଧବାର ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ନିଜର ପ୍ରଶିକ୍ଷଣ କାର୍ଯ୍ୟ ସମାପ୍ତ କରିଛନ୍ତି । ଜିଲ୍ଲାରେ ଗଣମାଧ୍ୟମର ପ୍ରକୃତ ଉପଯୋଗିତା ଏବଂ ଜନସମ୍ପର୍କରେ କାର୍ଯ୍ୟାଳୟର କର୍ତ୍ତବ୍ୟ ବିଷୟରେ ବୁଝି ଏହାର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ସହିତ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିବା ସହିତ ଏହାକୁ କିପରି ଆହୁରି ଜନାଭିମୁଖୀ କରିହେବ ସେ ବିଷୟରେ ପଦକ୍ଷେପ ନେବାପାଇଁ ସେ ମତ ଦେଇଥିଲେ । ଏହି ପ୍ରଶିକ୍ଷଣ ସମୟ ଗୁଡିକ ତାଙ୍କ ଆଗାମୀ କାର୍ଯ୍ୟଭାର ଉପରେ ଅନେକ ଗୁରୁତ୍ୱ ରହିବ ବୋଲି ସେ ନିଜ ମନ୍ତବ୍ୟରେ କହିଥିବାବେଳେ, ଲୋକସମ୍ପର୍କର ଆଭିମୁଖ୍ୟ ତାଙ୍କ ପ୍ରଶାସନିକ କାର୍ଯ୍ୟରେ ପ୍ରମୁଖ ଅବଦାନ ଗ୍ରହଣ କରିବବୋଲି ସେ କହିଥିଲେ । ଜିଲ୍ଲାପାଳଙ୍କ ପରାମର୍ଶରେ ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ନବୀକରଣ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଉପଯୁକ୍ତ ପଠ୍ୟଲୋଚନା ପାଇଁ ପ୍ରଶାସନ କାର୍ଯ୍ୟ କରିବା ନେଇ ପଦକ୍ଷେପ ନେବେ ବୋଲି କହିଥିଲେ । ଚଳଚ୍ଚିତ୍ର, ପୁସ୍ତକ ଆଦିରେ ରୁଚି ରଖୁ ଥିବା ସୁଶ୍ରୀ ଆଶନୀ ଆଗାମୀ ଦିନ ଗୁଡିକରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଶେଷକରି ପ୍ରଶାସନିକ ଦାୟିତ୍ୱ ନେବା ସହିତ ଏକ ଦକ୍ଷ ଅଧିକାରୀ ହେବାର ଆଶାପୋଷଣ କରିଛନ୍ତି ।
