ମୟୂରଭଞ୍ଜରେ ଖୁସିର ଲହରୀ, କ୍ୟାବିନେଟ୍ ହେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଷ୍ଟ୍ରମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ବାରିପଦା : ଓଡିଶାରେ ବିଜେପି ସରକାର ଗଠନ ହୋଇଛି ଓ ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥପାଠ କରି ଦାୟିତ୍ୱ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରୁ କିଏ ମନ୍ତ୍ରୀ ହେବ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ନାନାଦି ଚର୍ଚ୍ଚା ହେଉଥିଲା । ମାତ୍ର ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୟୂରଭଞ୍ଜ ଜିଲ୍ଲାରୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ମୋରଡା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ଥାନ ପାଇଥିବାବେଳେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ଭାବରେ ଯଶିପୁର ନିର୍ବାଚନ ମଣ୍ଡଳୀରୁ ନବନିର୍ବାଚିତ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ସ୍ଥାନ ପାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଜେପିର ଏହି ଦୁଇ ଟାଣୁଆ ନେତା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାରୁ ମୟୂରଭଞ୍ଜ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ଏନେଇ ବିଜେପି ନେତୃବୃନ୍ଦ ଓ କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଉସôାହ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ସହ ୯ଟି ବିଧାନସଭାରେ ବିଜେପିର ବିପୁଳ ବିଜୟ ହୋଇଥିବାବେଳେ ବିଜେଡି ଜିଲ୍ଲାରୁ ସଫା ହୋଇଯାଇଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀ ମଣ୍ଡଳରେ ମୟୂରଭଞ୍ଜ ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ନିଶ୍ଚିତ ସ୍ଥାନ ପାଇବେ ବୋଲି ଆଶା କରାଯାଇଥିଲା । ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମୋରଡାରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀଙ୍କୁ ୩୩,୨୭୦ ଭୋଟ ବ୍ୟବଧାନରେ ହରାଇ ବିଜୟଲାଭ କରିଛନ୍ତି । ସେହିପରି ଯଶିପୁର ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ପାଇଁ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ସେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀଙ୍କୁ ୩୪,୬୬୭ ଭୋଟ୍ ବ୍ୟବଧାନରେ ହରାଇ ବିଜୟଲାଭ କରିଛନ୍ତି ।
