ବାରିପଦା : ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ମୁ୍ୟନିସିପାଲିଟି ଅନ୍ତର୍ଗତ ୩ଟି କ୍ଲଷ୍ଟରର ଶିକ୍ଷକ/ଶିକ୍ଷୟତ୍ରୀ ଙ୍କୁ ନେଇ ଆମ ସଂସ୍କୃତି ଓ ଆମ ଖେଳନା ଉପରେ ୪ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପୂର୍ଣ୍ଣଚନ୍ଦ୍ର ପୁର, ଏମକେସି ଓ ନହରପଦା କ୍ଲଷ୍ଟରର ମୋଟ ୪୫ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ ଓ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର କୁନିକୁନି ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ସହ ନିଜ ସଂସ୍କୃତି ସହ ଅବଗତ କରିବା ପାଇଁ କାଠ, ମାଟି, ବୋବାଇ ଘାସ ଓ ପ୍ଲାଇ ରେ ବିଭିନ୍ନ ପ୍ରକାରର ଖେଳନା ପ୍ରସ୍ତୁତ କରିବାର ଉପାୟ ଜାଣିବା କର୍ମଶାଳାର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ସାଧନ କର୍ମୀ ଭାବେ ଦୁଇ କଳାଶିକ୍ଷକ ସରୋଜ କୁମାର ମହାନ୍ତ ଓ ମହେଶ୍ୱର ମାର୍ଣ୍ଡି ଯୋଗଦେଇ ଖେଳନା ପ୍ରସ୍ତୁତି ପାଇଁ ସହଯୋଗ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାର ଉଦ୍ଘାଟନ କରିଥିଲେ । ଚାରିଦିନ ଭିତରେ ସହାୟକ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ଡଃ ସ୍ନେହଲତା ବେହେରା ଓ ତପସ୍ୱିନୀ ଦାଶ ଏବଂ ସମଗ୍ର ଶିକ୍ଷା, ମୟୂରଭଞ୍ଜର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି କର୍ମଶାଳା ପରିଦର୍ଶନ କରିଥିଲେ । ତିନୋଟି କ୍ଲଷ୍ଟରର ସିଆରସିସି ଧନଞ୍ଜୟ ସାହୁ, ରାଜକିଶୋର ସେଠୀ ଓ କନକଲତା ମାଝୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
