ଛତ୍ରପୁର : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଗଂଜାମ ଜିଲ୍ଲା ସାମୁହିକ ବ୍ୟାଙ୍କ ପରାମର୍ଶଦାତା କମିଟି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚାଷୀଙ୍କ ପାଇଁ ବିଭିନ୍ନ ଋଣ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ବୈଠକରେ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ କୃଷି,ମତ୍ସ୍ୟ, ପଶୁ, ଉଦ୍ୟାନ ଆଦି ବିଭାଗର ଅଧୀନରେ ବିଭିନ୍ନ ଯୋଜନାରେ ଚାଷ କରିବାକୁ ଋଣ ପାଇବାରେ ଚାଷୀ କେତେ ଫଲପ୍ରଦ ହୋଇଛନ୍ତି ଏହାର ବିବରଣୀ ଦାଖଲ କରିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ଜିଲ୍ଲାପାଳ କହିଥିଲେ । କୋଭିଡ-୧୯ ମହାମାରୀ ଯୋଗୁଁ ଦୁର୍ବଳ ହୋଇଯାଇଥିବା ଅର୍ଥନୀତିକୁ ସୁଧାର ଆଣିବା ପାଇଁ ବ୍ୟାଙ୍କ ମାନଙ୍କର ପ୍ରମୂଖ ଭୂମିକା ରହିଛି ।
ଜିଲ୍ଲାର ସବୁବର୍ଗର ଅଂଚଳବାସୀଙ୍କ ସମସ୍ତ କ୍ଷେତ୍ରରେ ଉପଯୁକ୍ତ ଋଣ ରିହାତି ସୁଧରରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବ୍ୟାଙ୍କ ଗୁଡିକୁ ପରାମର୍ଶ ଦେଇଥିଲେ ।ା ତେଣୁ ବ୍ୟାଙ୍କ ଗୁଡିକ ଚାଷୀ, ଶ୍ରମିକ ଓ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳାମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ମାନଙ୍କୁ ସମ୍ମାନର ସହ ଋଣ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଗୁରୁତ୍ୱାରୋପ କରିଥିଲେ । ଏହାସହ କରୋନା ମୁକାବିଲା ନିମନ୍ତେ ସମସ୍ତେ ମାସ୍କ ପିନ୍ଧିବା, ସାନିଟାଇଜର କରିବା ଏବଂ ସାମାଜିକ ଦୂରତା ରହିବା ଉପରେ ମଧ୍ୟ ଗୁରୁତ୍ୱ ଦେବା କୁ ଜିଲ୍ଲାପାଳ କହିଥିଲେ । ବ୍ୟାଙ୍କ କୁ ମାସ୍କ ନ ପିନ୍ଧି ଆସିଥିବା ଗ୍ରାହକ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ମାସ୍କ ପ୍ରଦାନ କରିବାକୁ କୁହାଯାଇଛି ।
ଗଂଜାମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ମୋଟ ୪୨୩ ଟି ଶାଖାର ରହିଥିବା ବେଳେ ମାର୍ଚ୍ଚ ୨୦୨୨୦ ସୁଦ୍ଧା ସମସ୍ତ ଶାଖାରେ ୨୧୧୯୯ .୪୭ କୋଟି ଜମା ସଂଗ୍ରହ ହୋଇଛି । ସେହି ଆଧାରରେ ମାତ୍ର ୮ ହଜାର ୭୫ କୋଟି ଋଣ ପ୍ରାଦନ କରାଯାଇଛି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୮ ପ୍ରତିଶତ । ଆଗକୁ ଏହାକୁ ବୃଦ୍ଧି କରିବା ଓ ଋଣପ୍ରଦାନ ଯୋଜନାକୁ ବ୍ୟବସ୍ଥିତ କରିବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଅବସରରେ ୨୦୨୦-୨୧ ଆର୍ଥିକ ବର୍ଷ ଜିଲ୍ଲାର ବାର୍ଷିକ ଋଣ ଯୋଜନା ପୁସ୍ତିକାକୁ ଜିଲ୍ଲାପାଳ ଉନ୍ମୋଚିତ କରିଥିଲେ ।
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ପାଇଁ ସମୁଦାୟ ୬୩୧୨.୯୮ କୋଟି ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ରହିଛି । କୃଷିକୁ ପ୍ରାଧାନ୍ୟ ଦିଆଯାଇ ୨୯୯୫.୦୭ କୋଟି ଋଣ ଲକ୍ଷ୍ୟ ରଖାଯାଇଥିବା ବେଳେ ଛୋଟ ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୨୧୫୧.୭୩ କୋଟି, ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ୧୧୬୬.୧୮ କୋଟି ଏବଂ ଅଣ ପ୍ରାଥମିକତା କ୍ଷେତ୍ରରେ ୫୨୦ କୋଟି ଋଣ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି ।
ଏହାସହ ସାଂପ୍ରତିକ ପରିସ୍ଥିତିରେ ଚାଷୀଙ୍କୁ ଋଣ ପ୍ରଦାନ ନେଇ ଗ୍ରାମାଞ୍ଚଳ ସ୍ତରରେ ସଚେତନତାକୁ ବ୍ୟାପକ କରାଯିବା ନିମନ୍ତେ କୁହାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ବ୍ୟାଙ୍କ ଜରିଆରେ ଚାଷୀଙ୍କ ପାଖରେ ପହଞ୍ଚିପାରୁନି । ଚାଷୀଙ୍କୁ ଋଣ ପ୍ରଦାନ ବେଳେ ବ୍ୟାଙ୍କ ଗୁଡିକ ବିଭିନ୍ନ ଆଳ ଦେଖାଉଥିବାରୁ ବାଧ୍ୟ ହୋଇ ଚାଷୀମାନେ ନିଜ ଅଞ୍ଚଳର ସାହୁକାର ଠାରୁ ହାତ ଉଧାର ଆଣି ଅଧିକା ସୁଧ ଦେଉଛନ୍ତି । ଏବେ ଖରିଫ୍ ଋତୁ ପାଇଁ ଚାଷୀଙ୍କୁ କିପରି ସହଜରେ ଋଣ ମିଳିପାରିବ ସେଥିପ୍ରତି ବ୍ୟାଙ୍କ ଗୁଡିକ କାର୍ଯ୍ୟକ୍ଷମ କରିବାକୁ ହେବ ।
ସେହିପରି ବ୍ରହ୍ମପୁର ଓ ଆସିକା ସମବାୟ ବ୍ୟାଙ୍କ ମଧ୍ୟ ଚାଷୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ସହାୟକ ହେବା ପାଇଁ ଜିଲ୍ଲାପାଳ କହିଛନ୍ତି । ଆସନ୍ତାଦିନ ଗୁଡିକରେ ଚାଷୀ ଏବଂ ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରରେ ଜିଲ୍ଲାକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଋଣ ଦେବା ଲାଗି କେତେ ଦୂର ବ୍ୟାଙ୍କ ଗୁଡିକ ପକ୍ଷରୁ ପଦକ୍ଷେପ ନିଆଯାଉଛି ଦୈନିକ ବିବରଣୀ ଏଲ୍ଡିଏମ୍ ଏବଂ ଡିଆରସିଏସ୍ ପ୍ରଦାନ କରିବାକୁ କୁହାଯାଇଛି । ସର୍ଭିସ୍ ଅଞ୍ଚଳରେ କେଉଁ ବ୍ୟାଙ୍କ ଋଣ ପ୍ରଦାନ ବାବଦରେ କେତେ କାର୍ଯ୍ୟକ୍ଷମ କରୁଛି ଜଣାପଡିବ ।
ବିଶେଷ କରି ଚାଷୀ କିମ୍ବା ପ୍ରବାସୀ ଶ୍ରମିକମାନଙ୍କୁ ଋଣ ପ୍ରଦାନ ଦିଗରେ ବହୁଦିନ ଧରି ବ୍ୟାଙ୍କ ଗୁଡିକୁ ଦୌଡିବାକୁ ଯେପରି ନ ପଡିବ ସେଥିପ୍ରତି କାର୍ଯ୍ୟ କରିବାକୁ ହେବ । ଯେତେ ସ୍ୱଳ୍ପ ସମୟରେ ବ୍ୟାଙ୍କ ଋଣ ଦେବାରେ କାର୍ଯ୍ୟ କରିବ ଚାଷୀ କିମ୍ବା ଶ୍ରମିକମାନେ ବ୍ୟାଙ୍କ ଋଣପ୍ରତି ଆଗ୍ରହ ପ୍ରକାଶ କରିବା ସହ ସାହୁକାର ଠାରୁ ହାତ ଉଧାର ଆଣି ଅଧିକା ସୁଧ ଦେବାରୁ ବଞ୍ଚିତ ରହିବେ । କରୋନା ମହାମାରୀ ଯୋଗୁଁ ଦୁର୍ବଳ ହୋଇଯାଇଥିବା ଅର୍ଥନୀତିକୁ ସୁଧାର ଆଣିବା ପାଇଁ ବ୍ୟାଙ୍କ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜିଲ୍ଲାକୁ ଲକ୍ଷାଧିକ ପ୍ରବାସି ଶ୍ରମିକ ଫେରିଛନ୍ତି ।
ସେମାନଙ୍କ ଜୀବିକା ନିର୍ବାହ କରିବା ପାଇଁ ଶ୍ରମିକମାନଙ୍କ ଦକ୍ଷତାନୁସାରେ ବ୍ୟାଙ୍କ ଗୁଡିକ ସହଯୋଗ କଲେ ବିଭିନ୍ନ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ବାହାର ରାଜ୍ୟରେ ପ୍ରବାସି ଶ୍ରମିକମାନେ ଯେଉଁ କାମ କରୁଥିଲେ । ସେହି କାମ ଜିଲ୍ଲାରେ କରିପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦିଆଗଲେ ପ୍ରବାସି ଶ୍ରମିକମାନେ ନିଜ ଜିଲ୍ଲା ତଥା ନିଜ ଭିଟାମାଟିରେ ସେଭଳି କାର୍ଯ୍ୟ କରି ପାରିବେ ବୋଲି କହିଛନ୍ତି । ଏଣୁ ପ୍ରବାସିମାନଙ୍କ ଦକ୍ଷତା ଥିବା କାର୍ଯ୍ୟକୁ ପ୍ରଥମେ କାଉନସିଲ୍ କରିବାକୁ ହେବ । ଶ୍ରମିକଙ୍କ ଚାହିଦା ଅନୁସାରେ କାର୍ଯ୍ୟ କରିବା ପାଇଁ ଋଣ ଯୋଗାଇ ଦିଆଗଲେ ସେମାନେ ନିଶ୍ଚିତ ଭାବେ ସଫଳ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍ ଡିଆଇସି ଅନାମ ଚରଣ ପାତ୍ର, ୟୁନିୟନ୍ ବ୍ୟାଙ୍କ ତଥା ଲିଡ୍ ବ୍ୟାଙ୍କ ଆବାହକ ଭୁବନେଶ୍ୱର ନାୟକ, ଏଲ୍ଡିଏମ୍ ଅଶୋକ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାଶିନାଥ ଖୁଣ୍ଟିଆ, ଡିଆରସିଏସ୍ ବିଶ୍ୱରଞ୍ଜନ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂସୁ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ମିଶନ ଶକ୍ତିର ସ୍ୱାସତ ସାହୁଙ୍କ ସମେତ ଜିଲ୍ଲାର ସରକାରୀ ଓ ବେସରକାରୀ ବ୍ୟାଙ୍କର ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଏଲ୍ଡିଏମ୍ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।